ପଞ୍ଚମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍ମାର୍ଟ ହାଇସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
- ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି, ଆତ୍ମବିଶ୍ୱାସ ବୃଦ୍ଧି କରିଛି
- ପିଲାମାନଙ୍କୁ ସଫଳ ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ସୋମବାର ପଂଚମ ଓ ଶେଷ ପର୍ଯ୍ୟାୟରେ ସେ ଆଉ ୧୦ଟି ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳି ଓ ଶେରଗଡରେ ୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଛନ୍ତି । ସେମାନଙ୍କ ମନୋଭାବକୁ ଲକ୍ଷ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ମଧ୍ୟରେ ଏ ରୂପାନ୍ତର କାର୍ଯ୍ୟକ୍ରମ ଦୃଢ ଆତ୍ମବିଶ୍ୱାସ ସୃଷ୍ଟି କରିଛି ବୋଲି ସେ ଅନୁଭବ କରିଛନ୍ତି । ଏହି ନୂଆ ପରିବେଶ ପିଲାମାନଙ୍କ ମନରେ ମଧ୍ୟ ଏକ ରୂପାନ୍ତର ଆଣିପାରିଛି ବୋଲି ସେ କହିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ । ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ତୁମ ମାନଙ୍କ ଉପରୋ ମୋର ପୁରା ଭରସା ଅଛି । ତୁମେ ମାନେ ଦିନେ ବଡ ହେବ ଓ ଭଲ କାମ କରି ଓଡିଆ ଜାତିର ଗୌରବ ବଢାଇବ, ଏ ବିଶ୍ୱାସ ଆମ ସମସ୍ତଙ୍କ ଭିତରେ ରହିଛି ମୁଖ୍ୟମନ୍ତ୍ରୀ କହିଥିଲେ, “ପିଲାମାନେ ତୁମେମାନେ ଆଗକୁ ବଢ, ମୋର ଶୁଭେଚ୍ଛା ଓ ଆଶୀର୍ବାଦ ସବୁବେଳେ ତୁମ ସାଥିରେ ରହିଛି ।” ଏହି ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ରୂପାନ୍ତର କାର୍ଯ୍ୟକ୍ରମ ଶିକ୍ଷକ ମାନଙ୍କ ଦାୟିତ୍ୱ ବଢାଇଛି । ପିଲାମାନେ ଯେପରି ଏହ ରୂପାନ୍ତର ସୁଯୋଗର ସଠିକ ଉପଯୋଗ କରିପାରିବେ, ସେଥିପ୍ରତି ଧ୍ୟାନ ଦେବା ସହିତ ପିଲା ମାନଙ୍କୁ ଠିକ୍ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ନିଜ ନିଜ ସ୍କୁଲର ଫଳାଫଳକୁ ଶତପ୍ରତିଶତ କରିବାପାଇଁ ଶିକ୍ଷକ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେଲେ, ସେ ଖୁସି ହେବେ ବୋଲି ପ୍ରକାଶ କରିଥିଲେ ।
ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା –ସତ୍ୟଭାମା ବିଦ୍ୟାପୀଠ, ବଡଖଣ୍ଡି ପଂଚାୟତ; ମହାତ୍ମାଗାନ୍ଧୀ ହାଇସ୍କୁଲ, ଶେରଗଡ ପଂଚାୟତ ; ଖରିଡା ହାଇସ୍କୁଲ, ଖରିଡା ପଂଚାୟତ ; ରାମଚନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର, ଶେରଗଡ଼ ; ମକରଝୋଳ ହାଇସ୍କୁଲ, ମକରଝୋଳ ପଂଚାୟତ ; ବରମୁଣ୍ଡୁଳି ହାଇସ୍କୁଲ, ବରମୁଣ୍ଡୁଳି ପଂଚାୟତ ;କାଞ୍ଜିଆମା ହାଇସ୍କୁଲ, କାଞ୍ଜିଆମା ତନହର ପଂଚାୟତ; ବାଳିକା ହାଇସ୍କୁଲ, ପିତଳ ପଂଚାୟତ ; ବ୍ରାହ୍ମଣଛାଇ ହାଇସ୍କୁଲ, ବ୍ରାହ୍ମଣଛାଇ ପଂଚାୟତ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ, ପକିଡି, ଶେରଗଡ ପଂଚାୟତ । ଏହି ୫ ଦିନ କାର୍ଯ୍ୟକ୍ରମରେ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ମନର ଖୁସି ବ୍ୟକ୍ତ କରିଥିଲେ । ଭବିଷ୍ୟତରେ ତୁମେ କଣ ହେବାକୁ ଚାହୁଁଛ ବୋଲି ମୁଖ୍ୟମନ୍ତ୍ରୀ ଯେତେବେଳେ ପଚାରିଥିଲେ, ସେମାନେ ସମସ୍ତେ କିଏ ଡାକ୍ତର, କିଏ ଇଂଜିନିଅର ତ କିଏ ଶିକ୍ଷକ, ଆଇ.ଏ.ଏସ୍?. ଆଇ.ପି.ଏସ୍? ଓ ସାମ୍ବାଦିକ ତଥା ବିଚାରପତି ହେବେ ବୋଲି କହିଥିଲେ । ସେମାନଙ୍କ ମନରେ ଆତ୍ମବିଶ୍ୱାସର ଝଲକ ଭରି ରହିଥିଲା । ସ୍କୁଲର ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ଏକ ବଡ ପରିବର୍ତନ ଆଣିପାରିଛି । ସେମାନେ କହିଥିଲେ ଯେ ଆମେ ସମସ୍ତେ ବର୍ତମାନ ସରକାରୀ ସ୍କୁଲରେ ପଢୁଛୁ ବୋଲି ଗର୍ବ ଅନୁଭବ କରିପାରୁଛୁ । ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାକୁ ପୂରଣ କରିବା ପାଇଁ ଆମେ ଆମର ଶ୍ରେଷ୍ଠ ଉଦ୍ୟମ କରିବୁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ । ଶିକ୍ଷକ ମାନେ ଅଂଶ ଗ୍ରହଣ କରି ଡିଜିଟାଲ ପ୍ଲାଟଫର୍ମରେ ଶିକ୍ଷା ଦାନ ପାଠପଢ଼ା କୁ ଅଧିକ ଆକର୍ଷଣୀୟ କରି ପାରିଛି କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ । ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ । ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ । ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଂଚ, ପଂଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ । କାର୍ଯ୍ୟ କ୍ରମ ରେ ପୁର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପାଣ୍ଡିଆନ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ ।
