ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ପ୍ରଶନ୍ନ କରିବା ପାଇଁ ସରଳ ଉପାୟ !
ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁଅ ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ପ୍ରତି ବର୍ଷ ଏହି ଦିନକୁ ଜନ୍ମାଷ୍ଟମୀ ନାମରେ ପାଳନ କରାଯାଏ। ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପକଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂରହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଉତର ପ୍ରଦେଶର ମଥୁରା, ବୃନ୍ଦାବନ ଆଦି ଅଂଚଳରେ ଏହା ତାଙ୍କର ପ୍ରମୁଖ ଉତ୍ସବ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି । ଏହି ଅବସରରେ ରାସଲୀଳା ବା କୃଷ୍ଣଲୀଳା ଆୟୋଜିତ ହୁଏ । ଦେଶର କେତେକ ଅଂଚଳରେ ଜନ୍ମାଷ୍ଟମୀରେ ଦହିହାଣ୍ଡି ଭଙ୍ଗା ଉତ୍ସବ ପାଳନ କରାଯାଏ । ଏହି ଦିନ ଭଗବାନ ଶ୍ରୀ କୃଷ୍ଣଙ୍କୁ ବାଳକ ରୂପରେ ଅଭିଷେକ କରି ବ୍ରତ ପାଳନ କରାଯାଏ। ଯଦି ଭଲ ମନରେ ସଠିକ୍ ଭାବରେ ପୂଜା କରାଯାଏ ତେବେ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇ ସବୁ ମନୋକାମନା ପୂର୍ଣ୍ଣ କରିଥାନ୍ତି। ତଳେ ଦିଆଯାଇଥିବା ଉପାୟରେ ଶ୍ରୀ କୃଷ୍ଣଙ୍କୁ ପ୍ରସନ୍ନ କରିପାରିବେ। ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।
ଏମିତି କରନ୍ତୁ ସ୍ନାନ :
ଜନ୍ମାଷ୍ଟମୀ ଦିନ ସକାଳୁ ଗାଧୋଇବା ସମୟରେ ପାଣିରେ କିଛି କଳାତିଳ ପକାଇ ସ୍ନାନ କରନ୍ତୁ। ଏହି ପାଣିରେ ସ୍ନାନ କଲେ ପାପରୁ ମୁକ୍ତି ମିଳିଥାଏ। ଶାସ୍ତ୍ରାନୁଯାଇ ଜନ୍ମାଷ୍ଟମୀ ଦିନ କଳାତିଳ ପକାଇ ସ୍ନାନ କରିବା ଉତ୍ତମ ହୋଇଥାଏ। ତେଣୁ ଏହି ପାଣିରେ ନିଶ୍ଚିତ ସ୍ନାନ କରନ୍ତୁ।
ବିଧାନ :
ସ୍ନାନ କରିବା ପରେ ହଳଦିଆ କିମ୍ବା ନାଲି ରଙ୍ଗର ନୂଆ ବସ୍ତ୍ର ଧାରଣ କରନ୍ତୁ। ଏହା ପରେ ବିଧି-ବିଧାନ ପୂର୍ବକ ଭଗବାନ ଶ୍ରୀ କୃଷ୍ଣଙ୍କୁ ପୂଜା କରି ଧ୍ୟାନ କରନ୍ତୁ। ଶାସ୍ତ୍ରରେ ୧୬ଟି ବିଧି ଦ୍ଵାରା ପୂଜା କରିବାକୁ କୁହାଯାଇଛି ଓ ଏହି ବିଧିରେ ପୂଜା ଅର୍ଚନା କରନ୍ତୁ। ଏହି ବ୍ରତ କରିବା ସହିତ ଶ୍ରୀ କୃଷ୍ଣଙ୍କ ନାମ ଜପ ମଧ୍ୟ କରନ୍ତୁ। ଏହା ବ୍ୟତୀତ ସେହି ଦିନ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରନ୍ତୁ। କାରଣ ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁଙ୍କ ଅବତାର ଅଟନ୍ତି।
ରାତ୍ରରେ ଶ୍ରୀ କୃଷ୍ଣଙ୍କ ପୂଜା :
ଶ୍ରୀକୃଷ୍ଣଙ୍କ ଜନ୍ମ ରାତ୍ର ୧୨ଟା ସମୟରେ ହୋଇଥିଲା। ସେଥିପାଇଁ ମନ୍ଦିରରେ ରାତ୍ର ୧୨ଟା ସମୟରେ ପୂଜା କରାଯାଏ। ଶ୍ରୀ କୃଷ୍ଣଙ୍କ ବାଳକ ରୂପରେ ଜଳ ଅଭିଷେକ କରି ପଞ୍ଚାମୃତରେ ମୂର୍ତ୍ତିକୁ ସ୍ନାନ କରାଇବେ। କୁହାଯାଏ କି ଯଦି ସ୍ଵାମୀ-ସ୍ତ୍ରୀ ଦୁଇଜଣ ମିଶି ଶ୍ରୀ କୃଷ୍ଣଙ୍କ ବାଳକ ରୂପକୁ ପୂଜା କରନ୍ତି ତେବେ ତାଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ। ତେଣୁ ଯେଉଁମାନଙ୍କର ସନ୍ତାନ ନାହିଁ ସେମାନେ ଏହି ଜନ୍ମାଷ୍ଟମୀ ଦିନ ବାଳ-ଗୋପାଳଙ୍କ ନିଶ୍ଚିତ ପୂଜା କରନ୍ତୁ। ସେହି ଜନ୍ମ ସମୟରେ ଶଙ୍ଖ, ଘଣ୍ଟ ବଜାଇ ଭଗବାନଙ୍କ ଜନ୍ମୋତ୍ସବ ପାଳନ କରନ୍ତୁ ।
