ପାରାଲିମ୍ପିକ : ଡିସକସ୍ ଥ୍ରୋରେ ବ୍ରୋଞ୍ଜ ଜିତିଲେ ବିନୋଦ କୁମାର
ଟୋକିଓ : ଟୋକିଓ ପାରାଲିମ୍ପିକରେ ଭାରତକୁ ମିଳିଲା ତୃତୀୟ ପଦକ । ପୂର୍ବରୁ ଟେବୁଲ୍ ଟେନିସ୍ ଓ ଲମ୍ବ ଡିଆଁ (ହାଇଜମ୍ପ)ରେ ଭାବିନା ପଟେଲ୍ ଓ ନିଶାଦ କୁମାର ରୌପ୍ୟ ପଦକ ଜିତିଥିବା ବେଳେ ଏବେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ । ଡିସକସ୍ ଥ୍ରୋରେ ବିନୋଦ କୁମାର ଜିତିଛନ୍ତି ବ୍ରୋଞ୍ଜ ପଦକ । ବିନୋଦ କୁମାର ୧୯.୯୧ ମିଟର ଫିଙ୍ଗିବା ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାସହ ପୋଲାଣ୍ଡର ପିଓଟର କୋସେଭିଚ୍ ୨୦.୦୨ ମିଟର ଡିସକସ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିଭଳି କ୍ରୋଏସିଆର ଭେଲିମିର ସାଣ୍ଡୋର ରୌପ୍ୟ ପଦକ ଜିତିଛନ୍ତି। ସେ ୧୯.୯୮ ମିଟର ଡିସକସ୍ ଫିଙ୍ଗିଥିଲେ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିନୋଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ପ୍ରମୁଖ ଦୀପା ମଲିକ ସମେତ ଅନେକ ଦିଗ୍ଜ ହସ୍ତୀ ବିନୋଦ କୁମାରଙ୍କ ଏହି ଉପଲବ୍ଧିରେ ଅଭିନନ୍ଦନ ଜଣାଇଛନ୍ତି। ପୂରା ଭାରତ ବିନୋଦଙ୍କୁ ଧନ୍ୟବାଦ ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଭାରତର ନିଶାଦ କୁମାର ହାଇ ଜମ୍ପରେ ରୌପ୍ୟ ଏବଂ ଭାବିନା ଟେବୁଲ୍ ଟେନିସରେ ଭାରତକୁ ରୌପ୍ୟ ପଦକ ଜିତାଇଥିଲେ ।
ସୂଚନା ଯେ, ଲମ୍ବ ଡିଆଁ (ହାଇଜମ୍ପ)ରେ ରୌପ୍ୟ ପଦକ ଜିତିଥିଲେ ନିଶାଦ କୁମାର । ପ୍ରଥମ ପ୍ରୟାସରେ ନିଶାଦ କୁମାର ୨.୦୨ ମିଟର ଡେଇଁଥିବା ବେଳେ ଦ୍ୱିତୀୟ ପ୍ରୟାସରେ ସେ ୨.୦୬ ମିଟର ଡେଇଁଥିଲେ । ସେହିଭଳି ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ଭାରତର ଭାବିନା ପଟେଲ୍ । ଚୀନ୍ର ୟିଙ୍ଗ୍ଙ୍କଠାରୁ ପଟେଲ୍ ୧୯ ମିନିଟ୍ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଥିଲେ ବି ପାରାଲିମ୍ପିକରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ ।
