ଆଜି ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର : ବଙ୍ଗୋପସାଗରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା କିଛି ଦିନ ଧରି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଆଦି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ୧୦ଟି ଜିଲାରେ ରବିବାର ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା,କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ଘଡଘଡି ସହ ବର୍ଷା ହୋଇପାରେ ।
ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ , ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ ,ଢେଙ୍କାନାଳ ଜିଲାମାନଙ୍କରେ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏବେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ଲଘୁ ଚାପ ପ୍ରଭାବରେ ଦୁଇ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ବର୍ଷା କିଛିଟା ପରିବର୍ତ୍ତନ ଆଣିପାରେ ବୋଲି ଆଶା କରାଯାଉଛି । ଆସନ୍ତ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ ବୋଲି କୁହାଯାଇଛି ।
