ଲିଡ୍ସ ପରାଜୟ ପରେ ଦଳରେ ପରିବର୍ତ୍ତନର ସଙ୍କେତ ଦେଲେ ଅଧିନାୟକ
ଲିଡ୍ସ : ଭାରତୀୟ ଦଳ ଲିଡ୍ସ ଟେଷ୍ଟରେ ଇନିଂସ ଓ ୭୬ ରନରେ ପରାସ୍ତ ହୋଇଛି। ଭାରତକୁ ଶୋଚନୀୟ ଭାବେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଘରୋଇ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିଛି। ଏହି ପରାଜୟ ପରେ ଅଧିନାୟକ ବିରାଟ କୋହଲି ଦଳରେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଇଂଲଣ୍ଡ ପ୍ରଥମ ଇନିଂସରେ ବଡ ସ୍କୋର କରିବା ପରେ ଦଳ ଚାପର ବଶବର୍ତ୍ତୀ ହୋଇଥିଲା। ଭାରତ ପ୍ରଥମ ଇନିଂସରେ ୭୮ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୪୩୨ ରନ କରି ୩୫୪ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା। ଭାରତ ଦ୍ଵିତୀୟ ଇନିଂସରେ ୨୭୮ ରନ ହିଁ କରି ପାରିଥିଲା।
ବିରାଟ କୋହଲି ପରାଜୟ ପରେ କହିଛନ୍ତି, ଏବେ ଆମେ ରୋଟେସନ ବିଷୟରେ ଆଲୋଚନା କରିବୁ। ଏତେ ବଡ ଗସ୍ତରେ ଆମେ ଆଶା କରି ପାରିବା ନାହିଁ ଯେ, ପ୍ରତି ଖେଳାଳି ୪ ଟେଷ୍ଟ ଲଗାତାର ଖେଳୁ। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ୍ ହେବାରୁ ଆମେ ମ୍ୟାଚ୍ରେ ପଛରେ ରହିଗଲୁ। ବିପକ୍ଷ ଦଳ ବଡ ସ୍କୋର କଲେ। ତଥାପି ଆମେ ଦ୍ଵିତୀୟ ଇନିଂସରେ ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀ କଲୁ। ଆଶା ଥିଲା ଚତୁର୍ଥ ଦିନରେ ଏମିତି ବ୍ୟାଟିଂ ଜାରି ରହିବ। ହେଲେ ଇଂଲଣ୍ଡ ବୋଲର ସକାଳୁ ଦମଦାର ଖେଳିଲେ ଏବଂ ଚାପ ଆମ ଉପରକୁ ଚାଲି ଆସିଲା। କୋହଲି କହିଛନ୍ତି, ଆମେ ବିପକ୍ଷ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରିଲୁ ନାହିଁ। ଇଂଲଣ୍ଡରେ କେତେବେଳେ ବି ଖରାପ ବ୍ୟାଟିଂ ହୋଇପାରେ। ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ଥିଲା। କିନ୍ତୁ ବୋଲିଂ ସହିତ ଇଂଲଣ୍ଡର ଅନୁଶାସନ ଆମକୁ କିଛି ଭୁଲ୍ କରିବାକୁ ବିବଶ କରି ଦେଲା। ସେମାନଙ୍କ ମୁକାବିଲା କରିବା ମୁସ୍କିଲ ହୋଇ ପଡିଥିଲା। ଯେତେବେଳେ ଇଂଲଣ୍ଡ ବ୍ୟାଟିଂ କଲା ପିଚ୍ ଅଧିକ ବଦଳିନଥିଲା। ଏଥିପାଇଁ ସେମାନେ ବ୍ୟାଟିଂରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। କହିବାକୁ ଗଲେ ଇଂଲଣ୍ଡ ମ୍ୟାଚ୍ ଜିତିବାକୁ ଯୋଗ୍ୟ ଥିଲା ବୋଲି କହିଛନ୍ତି ବିରାଟ କୋହଲି।
