ଆଜି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ୨ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର : ଆଜି ଲଘୁଚାପରେ ପରିଣତ ହେବ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘୂର୍ଣ୍ଣିବଳୟ ସମେତ ଗତକାଲିଠୁ ରାଜ୍ୟରେ ସକ୍ରିୟ ହୋଇଛି ଦୁର୍ବଳ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ଆଜି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, କଟକ, ଅନୁଗୁଳ, ଦେବଗଡ ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟଲୋ ଆଲର୍ଟ ଜାରିକରାଯାଇଛି । ସେହିପରି ଆସନ୍ତାକାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଉତ୍ତର ଏବଂ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏହା ସହିତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଚଳିତ ମୌସୁମୀ ସିଜିନ୍ ଅନୁସାରେ ଜୁନ୍ ୧ ତାରିଖରୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୮୮୧.୯ ମିଲିମିଟର ବର୍ଷା ହେବାକଥା । କିନ୍ତୁ ଏହି ସମୟ ମଧ୍ୟରେ ୬୧୧.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୩୧ ପ୍ରତିଶତ କମ୍ ।
ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଶୁକ୍ରବାର ରାତିରୁ ଅନେକ ଜାଗାରେ ବର୍ଷା ଆରମ୍ଭ ହୋଇଯାଇଛି । ଶନିବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜାଗାରେ ବର୍ଷା ହେବ । ଉତ୍ତର ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ରବିବାର ମଧ୍ୟ ବର୍ଷା ଲାଗି ରହିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ମାତ୍ର ସୋମବାରଠାରୁ ବର୍ଷା ପରିମାଣ କ୍ରମଶଃ କମିବ । ବଡ଼ ବର୍ଷା ସମ୍ଭାବନା ସୋମବାରଠାରୁ ରହିବ ନାହିଁ । ସୂଚନା ଯେ, ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୬୧୧.୧ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୩୧% କମ୍ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୫ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୫ଟି ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁରରେ ସ୍ବାଭାବିକ ବର୍ଷା ହୋଇଛି । ଅନୁଗୁଳ, ଭଦ୍ରକ, ବଲାଙ୍ଗିର, ଗଜପତି, ଯାଜପୁର, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲାରେ ୪୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି । ଏହି ଲଘୁଚାପ ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷାକୁ ପୂରଣ କରିବାର ଆଶା ରହିଛି ।
