ଚନ୍ଦ୍ରଭାଗା ଡଙ୍ଗା ବୁଡି ଘଟଣା : ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
ପୁରୀ : ମାଛ ଧରିବାକୁ ଯାଇଥିବା ଏକ ଡ଼ଙ୍ଗା ଭାରସାମ୍ୟ ହରାଇ ଚନ୍ଦ୍ରଭାଗା ନିକଟ ସମୁଦ୍ରରେ ଓଲଟି ପଡିବା ଫଳରେ ଜଣେ ମତ୍ସ୍ୟଜିବୀ ନିଖୋଜ ଥିଲେ । ଶୁକ୍ରବାର ଠାରୁ ନିଖୋଜ ଥିବା ବେଳେ ଶନିବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ମତ୍ସ୍ୟଜୀବୀ ଆପୋଲୋ ରାଜୁଙ୍କର ମୃତଦେହ ମିଳିଛି ।
ସୂଚନା ଯେ, ଶୁକ୍ରବାର ଭୋରରୁ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରକୁ ଚନ୍ଦ୍ରଭାଗା ନୋଳିଆ ସାହିର ୫ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଉଥିଲେ । ସେହି ସମୟରେ ପ୍ରବଳ ଲହଡି ଯୋଗୁଁ ଭାରସାମ୍ୟ ହରାଇ ଡଙ୍ଗା ବୁଡିଯାଇଥିଲା । ୪ ଜଣ ମତ୍ସ୍ୟଜୀବୀ ପହଁରି ଅନ୍ୟ ଡଙ୍ଗା ସାହାଯ୍ୟରେ ଉଦ୍ଧାର ହୋଇଥିବା ବେଳେ, ଆପୋଲୋ ରାଜୁ ନିଖୋଜ ହୋଇଯାଇଥିଲେ । ପରେ କୋଣାର୍କ ଏବଂ ପୁରୀ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ପହଞ୍ଚି ନିଖୋଜ ରାଜୁଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ୩ରେ ଜମାରା ଗ୍ରାମ ସୁରକ୍ଷା ଜଙ୍ଗଲ ବଡଖଞ୍ଜି ଠାରୁ ତାଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଛି ।
