ଲସ୍କରର ୩ ସହଯୋଗୀ ଗିରଫ, ହତିଆର ଓ ଗୋଳାବରୁଦ ଜବତ
କୁପୱାଡ଼ା : କୂପୱାଡ଼ା ଜିଲ୍ଲାର ଲଙ୍ଗେଟରେ ଅବସ୍ଥିତ ସିଆରପିଏଫ କ୍ୟାମ୍ପସରେ ଗ୍ରେନେଡ଼ ଆକ୍ରମଣ ମାମଲାର ତଦନ୍ତ ବେଳେ ହନ୍ଦୱାଡ଼ା ପୋଲିସ ତିନିଜଣ ଲସ୍କର ଇ ତୋଇବା ସହଯୋଗୀଙ୍କୁ ଗିରଫ କରିଛି । ତିନୋଟି ଓଜିଡବ୍ଲୁରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଉଦ୍ଧାର କରାଯାଇଛି । ପଚରାଉଚୁରା ବେଳେ ଜଣାପଡ଼ିଥିଲା ଯେ, ଏହି ତିନିଜଣ ଏହି ଅଂଚଳରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଉଥିଲେ ।
ଶୁକ୍ରବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଗଷ୍ଟ ୨୬ ଦିନ ସକାଳେ ହନ୍ଦୱାଡ଼ା ପୋଲିସ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇଥିଲା ଯାହା ଆଧାରରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଘର ଗୁଡ଼ିକର ବ୍ୟାପକ ସର୍ଚ୍ଚ ଅପରେସନ୍ ବେଳେ ପୋଲିସ ଜରେ ଓଜିଡବ୍ଲୁ ଇଶଫାକ ଅହମ୍ମଦ ଦାରଙ୍କୁ ଗିରଫ କରିଥିଲା । ପଚରା ଉଚୁରା ପରେ ମିଳିତ ଦଳ ଗୋଟିଏ ସ୍ଥାନରେ ଲୁଚାଯାଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି । ପଚରା ଉଚୁରା ବେଳେ ସେ ଅନ୍ୟ ଦୁଇ ଓଜିଡବ୍ଲୁ ବିଷୟରେ ସୂଚନା ଦେଇଥିଲେ ଯାହା ପରେ ଅନ୍ୟ ଦୁଇ ସହଯୋଗୀ ଜାମସେଦ ଅହମ୍ମଦ ଶାହା ଏବଂ ଜାଭେଦ୍ ଅହମ୍ମଦ ଖାନଙ୍କୁ ଗିରଫ କରାଯାଇଥିଲା । ଏହି ଉଭୟ ଓଜିଡବ୍ଲୁ ରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଉଦ୍ଧାର କରାଯାଇଛି ।
