ସେପ୍ଟେମ୍ବର ୫ ମଧ୍ୟରେ ଶିକ୍ଷକଙ୍କୁ ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ପାଇଁ ଶିକ୍ଷକମନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି, ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ। କେତେ ଶିକ୍ଷକ ଟିକା ନେଇଛନ୍ତି ଓ କେତେ ନେଇ ନାହାଁନ୍ତି ତାର ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ୟୁ ଡାଇସ ପ୍ଲସ ସଫ୍ଟୱେର ମାଧ୍ୟମରେ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସମନ୍ୱୟରେ ଟିକାକରଣ କରାଯିବ। ଅତିରିକ୍ତ ୧୧ ଲକ୍ଷ ଟିକା ଆସିବା ପରେ ୨୭ ତାରିଖରୁ କାର୍ଯ୍ୟ ଆରମ୍ଭ ହେବ। ଏଥିରୁ ୯ ଲକ୍ଷ ୯୨ ହଜାର ୩୮୦ କୋଭିସିଲଡ ଓ ୧ ଲକ୍ଷ ୨୪ ହଜାର କୋଭାକସିନ ଟିକା ଆସିବ। ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ସମସ୍ତ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଟିକାଦାନ ପାଇଁ ଟାର୍ଗେଟ ରଖାଯାଇଛି। ଶହେରୁ ଅଧିକ କର୍ମଚାରୀ ଟିକା ନେଇ ନ ଥିବା ସ୍କୁଲରେ ସିଭିସି କରି ଟିକା ଦିଆଯିବ।
ସୂଚନା ଯେ, ମହାମାରୀ କରୋନା ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଦିଆଯିବ ଟିକା । ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେନ୍ଦ୍ର ଅନୁରୋଧ କରିଛି । ଏଥିପାଇଁ ସବୁ ରାଜ୍ୟଙ୍କୁ ଦିଆଯିବ ଅତିରିକ୍ତ ୨ କୋଟି ଟିକା । ଏନେଇ ସବୁ ରାଜ୍ୟକୁ ଅନୁରୋଧ କଲେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଥିଲେ। କରୋନାର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ସବୁ ଶିକ୍ଷକଙ୍କୁ ପ୍ରାଥମିକତା ଆଧାରରେ ଟିକା ଦେବା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟକୁ ଅନୁରୋଧ କରିଛନ୍ତି। ଏଥିପାଇଁ ସବୁ ରାଜ୍ୟକୁ ଅତିରିକ୍ତ ୨ କୋଟି ଟିକା ଯୋଗାଇ ଦିଆଯାଉଛି। ରାଜ୍ୟମାନଙ୍କୁ ୨ କୋଟି ଟିକା ଦିଆଯାଉଛି। ଗୁରୁ ଦିବସ ପୂର୍ବରୁ ଶିକ୍ଷକଙ୍କୁ ଏହି ଟିକା ପ୍ରାଥମିକତା ଭିତ୍ତିରେ ଦିଆଯାଉ। ସବୁ ସ୍କୁଲର ଶିକ୍ଷକମାନଙ୍କୁ ପ୍ରାଥମିକତା ଦେବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ଵିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି।
