ଭାରତରେ କୋଭିଡ ଏଣ୍ଡେମିକ ପର୍ଯ୍ୟାୟରେ ରହିଛି
ନୂଆଦିଲ୍ଲୀ : ଭାରତରେ କୋଭିଡ ଏକ ପ୍ରକାର ଏଣ୍ଡେମିକ ଅବସ୍ଥାରେ ପ୍ରବେଶ କରୁଛି। ଯେଉଁଠି କରୋନା ଏବେ ନିମ୍ନ କିମ୍ବା ମଧ୍ୟମ ସ୍ତରରେ ରହିଛି। ଏବେ ଦେଶବାସୀ କରୋନା ମହାମାରୀ ସହିତ ବଞ୍ଚିବାକୁ ଶିଖୁଛନ୍ତି। ଏବେ ଏହି ଅଦୃଶ୍ୟ ଭାଇରସ ଏଣ୍ଡେମିକ ପର୍ଯ୍ୟାୟରେ ରହିଛି। ମହାମାରୀ ଯେତେବେଳେ ଆରମ୍ଭ ହୋଇଥିଲା ଆଉ ଏବେର ସ୍ଥିତି ବହୁତ ଅଲଗା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନ୍ୟତମ ମୁଖ୍ୟ ବୈଜ୍ଞାନିକ ଡା.ସୌମ୍ୟ ସ୍ୱାମୀନାଥନ କହିଛନ୍ତି ।
ସେ କହିଛନ୍ତି ଯେ, ଆମେ ଏବେ ଏକ ପ୍ରକାର ଏଣ୍ଡେମିକ୍ ପର୍ଯ୍ୟାୟରେ ପ୍ରବେଶ କରୁଛୁ। ଯେଉଁଠାରେ କରୋନା ସଂକ୍ରମଣର ନିମ୍ନ କିମ୍ବା ମଧ୍ୟମ ସ୍ତର ରହିଛି। କିନ୍ତୁ କିଛି ମାସ ପୂର୍ବରୁ ଦେଶରେ ଯେଉଁଭଳି କରୋନର ଗ୍ରାଫ ଶିଖର ଛୁଇଁଥିଲା। ତାହା ଏବେ ଦେଖିବାକୁ ମିଳୁ ନାହିଁ। ସେ ଆଶା ପ୍ରକଟ କରିଛନ୍ତି ଯେ ୨୦୨୨ ବର୍ଷ ଶେଷ ସୁଦ୍ଧା, ଆମେ ଏପରି ସ୍ଥିତିରେ ରହିବୁ। ତା’ପରେ ଦେଶ ସ୍ୱାଭାବିକ ଅବସ୍ଥାକୁ ଫେରିପାରିବ। ତେବେ ଛୋଟ ପିଲାଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ବ୍ୟାପିବା ନେଇ ସ୍ୱାମୀନାଥନ କହିଛନ୍ତି ଯେ ବାପା, ମା ଭୟଭୀତ ହେବାର ଆବଶ୍ୟକତା ନାହିଁ। ସେ କହିଛନ୍ତି, ସେରୋ ସର୍ଭେର ରିପୋର୍ଟ ଅନୁଯାୟୀ ଯାହା ଆମେ ଅନ୍ୟ ଦେଶର ହୃଦବୋଧ କରିଛୁ ସେଥିରୁ ଜଣାପଡ଼ିଛି ଯେ ପିଲାମାନେ ସଂକ୍ରମିତ ହୋଇପାରନ୍ତି। ତେବେ ସୌଭାଗ୍ୟବଶତଃ ଅନେକ ଛୋଟ ପିଲା କିନ୍ତୁ ଗୁରୁତର ଭାବରେ ସଂକ୍ରମିତ ହୁଅନ୍ତି ନାହିଁ। ସେହିପରି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଅନୁମୋଦନ ମିଳିବା ଉପରେ କହିଛନ୍ତି ଯେ ଡବ୍ଲୁଏଚଓର ବୈଷୟିକ ଗୋଷ୍ଠୀ କୋଭାକ୍ସିନକୁ ଖୁବଶୀଘ୍ର ଅନୁମୋଦନ ଦେବାକୁ ଯାଉଛି। ସେପ୍ଟେମ୍ବର ମଧ୍ୟ ଭାଗରେ ଏହି ଅନୁମତି ମିଳିପାରେ। ଭାରତର ଆକାର ଏବଂ ଦେଶର ବିଭିନ୍ନ ସ୍ଥାନରେ ଜନସଂଖ୍ୟାର ବିବିଧତା ଏବଂ ରୋଗ ପ୍ରତିରୋଧକ ସ୍ଥିତିକୁ ଦୃଷ୍ଟିରେ ରଖି କରୋନା ହେବାର ଆଶଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ କରୋନା ଭାଇରସ ପରିବର୍ତ୍ତନ ହୋଇପାରେ।
