ଆଖୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର, ସର୍ବନିମ୍ନ ସହାୟକ ମୂଲ୍ୟ ୫ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ : ଆଖୁ ଚାଷୀଙ୍କ ପାଇଁ ଖୁସି ଖବର । ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ମୋଦି ସରକାର । ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ୫ ଟଙ୍କା ବଢାଇ ୨୯୦ ଟଙ୍କା ପ୍ରତି କ୍ୱିଣ୍ଟାଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ କାର୍ଯ୍ୟ ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକରେ ଖାଦ୍ୟ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍ କହିଛନ୍ତି ଯେ, ଏହି ନିଷ୍ପତ୍ତି ଦ୍ୱାରା ଆଖୁ ଚାଷୀଙ୍କ ପାଇଁ ଏହାର ଗ୍ୟାରେଣ୍ଟି ମୂଲ୍ୟ ମିଳିବ ଏବଂ ଚାଷୀମାନେ ଆଖୁ ଚାଷ ପାଇଁ ଆହୁରି ପ୍ରୋତ୍ସାହିତ ହେବେ । ଏହା ଦ୍ୱାରା ଚିନି କାରଖାନାଗୁଡିକ ମଧ୍ୟ ଲାଭବାନ ହେବା ସହିତ ସଠିକ ଭାବେ ପରିଚାଳିତ ହୋଇପାରିବେ । ଯାହା ଫଳରେ ଦେଶରେ ଚିନି ଉତ୍ପାଦନ ଚାହିଦା ଅନୁଯାୟୀ ହୋଇପାରିବା ସହିତ ବଳକା ମଧ୍ୟ ରହିପାରିବ । ଏହି ନିଷ୍ପତ୍ତି ଫଳରେ ଦେଶରେ ପ୍ରାୟ ୫ କୋଟି ଆଖୁ ଚାଷୀ ଉପକୃତ ହେବେ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍ କହିଛନ୍ତି । ସୂଚନା ଯେ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟ ରହିଛି କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା । ଏବେ ଏହାକୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୫ ଟଙ୍କା ବୃଦ୍ଧି କରାଯାଇ ୨୯୦ ଟଙ୍କା କରାଯାଇଛି । ପ୍ରତିବର୍ଷ ଆଖୁ ଉତ୍ପାଦନ ପୂର୍ବରୁ ଉଚିତ ଏବଂ ଲାଭକାରୀ ମୂଲ୍ୟ ଘୋଷଣା କରିଥାନ୍ତି କେନ୍ଦ୍ର ସରକାର । ମିଲ୍ଗୁଡିକୁ ସର୍ବନିମ୍ନ ମୂଲ୍ୟ ଆଖୁ ଚାଷୀଙ୍କୁ ଦେବାକୁ ପଡିଥାଏ ।
