ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୨୫ଜଣ ଥିବା ବେଳେ ଜଗତସିଂହପୁର ଜିଲାରୁ ୨୧ଜଣ, ଢେଙ୍କାନାଳ ଜିଲାରୁ ୯ଜଣ ରହିଛନ୍ତି । ବାଲେଶ୍ୱର ଓ ଖୋର୍ଦ୍ଧା ଜିଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ପୁରୀ ଓ ଅନୁଗୁଳ ଜିଲାରୁ ୨ଜଣ ଲେଖାଏଁ ରହିଛନ୍ତି । ଭଦ୍ରକ, କେନ୍ଦୁଝର ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୭ହଜାର ୫୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୧୦,୦୩,୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୮୭,୩୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮,୨୨୬ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୭,୫୬୨ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
