ବାଲେଶ୍ୱର : ଯବାନଙ୍କ ପରିବାରକୁ ନିର୍ଯ୍ୟାତନା ପ୍ରସଙ୍ଗ, ନୀଳଗିରି ଥାନାରେ ଆଇଜି ଓ ଏସ୍ପିଙ୍କ ତଦନ୍ତ
ବାଲେଶ୍ୱର : ଓଡ଼ିଆ ଯବାନଙ୍କ ଭିଡିଓ ଭାଇରାଲ ପରେ ମଙ୍ଗଳାବାର ବାଲେଶ୍ୱର ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ଓ ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ର ନୀଳଗିରି ଥାନାରେ ପହଞ୍ôଚ ଉକ୍ତ ଘଟଣା ବାବଦରେ ତଦନ୍ତ କରିଥିଲେ । ତଦନ୍ତ ସମୟରେ ନୀଳଗିରି ଏସ୍ଡିପିଓ ରୀତେଶ କୁମାର ମହାପାତ୍ର , ଭାରପ୍ରାପ୍ତ ଆଇଆଇସି ବାସୁଦେବ ଜୟସିଂହ, ଏସ୍ଆଇ ସସ୍ମିତା ମଲ୍ଲିକ ଉପସ୍ଥିତ ଥିଲେ । ଏହି ସମୟରେ ଓଡ଼ିଆ ଯବାନଙ୍କ ଗାଁର ଜଣେ ତାଙ୍କର ବନ୍ଧୁଙ୍କ ସହିତ ଆଲୋଚନା ହେବା ସହିତ ଯବାନଙ୍କ ସହିତ ଫୋନରେ କଥା ହୋଇଥିଲେ । ପୂର୍ବରୁ ଘଟଣାକୁ ଗୁରୁତ୍ୱ ଦେଇ ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା ଯବାନଙ୍କ ଘରକୁ ଯାଇ ତଦନ୍ତ କରିଥିଲେ । ଜାମ୍ମୁ କାଶ୍ମୀର ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ଯବାନ ନିନିଗୋପାଳ ମହାପାତ୍ର ନିଜ ପରିବାରକୁ ସୁରକ୍ଷା ଦେଇ ପାରୁ ନ ଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତ ଗଣମାଧ୍ୟମରେ ଉକ୍ତ ଖବର ପ୍ରସାରିତ ହେବା ପରେ ପୋଲିସର ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିିଛି ।
ସୂଚନା ଯେ, ନୀଳଗିରି ଥାନା ଅଯୋଧ୍ୟା ଫାଣ୍ଡି ଅଧିନସ୍ଥ ତିନିଦେଶ ଗ୍ରାମର ମନୋରଞ୍ଜନ ମହାପାତ୍ରଙ୍କର ବଡ଼ ପୁଅ ନିନି ଗୋପାଳ ମହାପାତ୍ର ଯିଏକି ଯବାନ ଭାବେ ଜାମ୍ମୁ କାଶ୍ମୀର ସୀମାରେ କାର୍ଯ୍ୟରତ । ଘରେ ମା’, ବାପା ଓ ସାନ ଭାଇ ରହୁଥିବା ବେଳେ ଘରବାଡ଼ିକୁ କେନ୍ଦ୍ର କରି ପୋଡଶି ଜୈନିକ ଲୋକ ହଇରାଣ ହରକତ କରିବା ସହିତ ଗାଳିଗୁଲଜ କରୁଥିବା ଅଭିଯୋଗ କରିଥିଲେ । ଉକ୍ତ ଜାଗାରେ ଆମ୍ଭ ପରିବାରକୁ ନ ରଖିବା ପାଇଁ ସେମାନେ କୁଟନୀତି କରି ଅଯଥାରେ ହଇରାଣ କରି ଆସୁଥିବା ବେଳେ ସୀମାରେ ଥାଇ ବାପା ମାଆଙ୍କର ଦୁଃଖ ସହି ନ ପାରି ଗତ ଏପ୍ରିଲ ମାସରେ ଗାଁକୁ ଆସି ଘଟଣା ବାବଦରେ ଅଯୋଧ୍ୟା ଫାଣ୍ଡିରେ ଅଭିଯୋଗ କଲା ପରେ ମିମାଂସା ହୋଇଥିଲା । ଯବାନ ନିନିଗୋପାଳ ମହାପାତ୍ର ଚାକିରି ସ୍ଥାନକୁ ଗଲାପରେ ମିଛରେ ପ୍ରତିପକ୍ଷମାନେ ବାପା, ମାଆ ଓ ନିନିଗୋପାଳଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ମୋର ଚାକିରିରେ ନାଲିଗାର ପକାଇବା ସହ ଚାକିରୀ ଛଡ଼ାଇ ନେବାର ଧମକ ଦେଉଛନ୍ତି ବୋଲି ନିନିଗୋପାଳ ପ୍ରକାଶ କରିଛନ୍ତି ।
