ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ଛୁରାମାଡ
ଝାରସୁଗୁଡା : ହଠାତ୍ ଘରେ ପଶିଲେ କେହି କିଛି ବୁଝିବା ପୂର୍ବରୁ ଆରମ୍ଭ କରିଦେଲେ ଆକ୍ରମଣ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ଛୁରାମାଡ ହୋଇଛି । ଛୁରାମାଡ କରିବା ପରେ ଦୁବୃର୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଶାସ୍ତ୍ରୀ ନଗର ଅଂଚଳରେ ଘଟିଛି ଏଭଳି ଘଟଣା । ଗୁରୁତର ଆହତ ମଣ୍ଡଳିଆ ସ୍ଥିତ ସେଂଟ୍ରାଲ ହସ୍ପିଟାଲରେ ଭର୍ତି କରାଯାଇଛି ।
ସୂଚନା ଅନୁଯାୟୀ, ବ୍ରଜରାଜନଗର ଶାସ୍ତ୍ରୀ ନଗରରେ ରହୁଥିବା ଦୁଇ ପରିବାର ମଧ୍ୟରେ କୌଣସି କାରଣରୁ ବିବାଦ ଲାଗିରହିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡୋଶୀ ପରିବାରର ୭ରୁ ୮ ଜଣ ଅସାମାଜିକ ଯୁବକ ଆଜି ଅପରାହ୍ନରେ ରାଜେନ୍ଦ୍ର ସାଓଙ୍କ ଘରେ ପଶି ରାଜେଶଙ୍କ ଠାରୁ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଘର ଭିତରୁ ତାଙ୍କ ବୋହୂ ମୁନି ଦେବୀ ଦୌଡ଼ି ଆସିବାରୁ ତାଙ୍କୁ ପ୍ରଥମେ ଛୁରାମାଡ କରିଥିଲେ ସେମାନେ । ଏହାଦେଖି ଘର ଭିତରୁ ମୁନି ଦେବୀଙ୍କ ସ୍ୱାମୀ, ଶାଶୂ ଓ ମାମୁ ଆସିବାରୁ ସମସ୍ତଙ୍କୁ ଛୁରାମାଡ କରି ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଓରିଏଂଟ ଥାନା ଓ ବ୍ରଜରାଜନଗର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ଫେରାର ଅଛନ୍ତି ।
