ଅର୍ଣ୍ଣିଆ ସେକ୍ଟର୍ରେ ଉଡିଲା ଡ୍ରୋନ୍, ଗୁଳି ଚଳାଇଲା ‘ବିଏସ୍ଏଫ୍’
ନୂଆଦିଲ୍ଲୀ : ପୁଣି ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳରେ ଉଡିଲା ଡ୍ରୋନ୍ । ଜମ୍ମୁ ଜିଲାର ଅର୍ଣ୍ଣିଆ ସେକ୍ଟର୍ ଅଞ୍ଚଳରେ ସୋମବାର ଭୋର ପ୍ରାୟ ୫ଟା ୩୦ ମିନିଟ ସମୟରେ ଡ୍ରୋନ୍ଟିକୁ ଦେଖି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନମାନେ ଆକାଶରେ ଦପଦପ ହେଉଥିବା ଲାଲ୍ ଓ ହଳଦିଆ ରଙ୍ଗର ଆଲୋକ ଦେଖିଥିଲେ । ଉକ୍ତ ଉଡ଼ନ୍ତା ବସ୍ତୁକୁ ଲକ୍ଷ୍ୟ କରି ଯବାନମାନେ ତୁରନ୍ତ ୨୫ ରାଉଣ୍ଡ୍ ‘ଏଲ୍ଏମ୍ଜି’ ଚଳାଇବାରୁ ତାହା ଅଧିକ ଉଚ୍ଚକୁ ଉଠିଯାଇ ପାକିସ୍ତାନ ପଟକୁ ଉଡ଼ିଗଲା। ପୋଲିସ ସହାୟତାରେ ସେ ଅଞ୍ଚଳରେ ତଲାସ ଚାଲିଛି। ଏନେଇ ବିଏସ୍ଏଫ୍ ଡିଆଇଜି ଏସ୍ପିଏସ୍ ସାନ୍ଧୁ କହିଛନ୍ତି ଯେ, ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳ ତଲାସ କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କିଛି ମିଳିନାହିଁ।
ସୂଚନା ଯେ, ଗତ ଜୁଲାଇ ୨୪ ତାରିଖ ଦିନ ଜମ୍ମୁ ଓ କଶ୍ମୀର ପୋଲିସ ଘୋଷଣା କରିଥିଲା କି, ଅଖନୂର ସେକ୍ଟର ଅନ୍ତର୍ଗତ ଜମ୍ମୁ ଜିଲାର ସୀମାନ୍ତ କାନାଚକ ଅଞ୍ଚଳରେ ୫ କିଲୋ ବିସ୍ଫୋରକ ବୋହି ନେଇ ଯାଉଥିବା ଗୋଟାଏ ପାକିସ୍ତାନୀ ଡ୍ରୋନ୍କୁ ସେମାନେ ଗୁଳି ମାରି ଖସାଇ ଦେଇଛନ୍ତି। ସେହିପରି ଜୁନ୍ ୨୭ରୁ ଏହି ସବୁ ଅଞ୍ଚଳରେ ବହୁବାର ଡ୍ରୋନ୍ ଉଡ଼ିବା ଦେଖା ଗଲାଣି। ସେଗୁଡ଼ିକ ସୀମାପାରିରୁ ଆସୁଥିବା କଥା ପୋଲିସ ଏବଂ ତଦନ୍ତକାରୀ ଏଜେନ୍ସି କହୁଛନ୍ତି।
