ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୌଜନ୍ୟମୂଳକ ସାକ୍ଷାତ କରିବେ । ତାଙ୍କ ସହିତ ୧୦ଟି ଦଳର ନେତା ମଧ୍ୟ ସାମିଲ ରହିବେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।
ଦେଶରେ ଜାତିଗତ ଜନଗଣନାକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି । କେନ୍ଦ୍ର ଉପରେ ଲଗାତାର ଚାପ ପ୍ରୟୋଗ କରାଯାଉଛି ଯେ, ଦେଶରେ ଜାତିଗତ ଜନଗଣନା ହେବା ଦରକାର । ବିରୋଧୀ ବ୍ୟତୀତ କେନ୍ଦ୍ର ସରକାରଙ୍କ ସହଯୋଗୀ ଦଳ ମଧ୍ୟ ଏଭଳି ଦାବି କରୁଛନ୍ତି ।
ନୀତିଶ କୁମାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଂଚି ସାରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଯାଉଛନ୍ତି । ଆମର ଦାବି ଅନୁସାରେ ଏବେ ଦେଶରେ ଜାତିଗତ ଜନଗଣନା କରାଯାଉ । ପ୍ରଧାନମନ୍ତ୍ରୀଙ୍କୁ ଜେଡିୟୁର ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ଭେଟିପାରନ୍ତି । ଅନ୍ୟପଟରେ ନୀତିଶ କୁମାର ଏହି ସାକ୍ଷାତକୁ ନେଇ ପ୍ରସ୍ତୁତି କରିସାରିଛନ୍ତି ।
