ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର
- ସକାଳ ୭ରୁ ସଂଧ୍ୟା ୭ଯାଏଁ ମିଳିବ ଦର୍ଶନ
ପୁରୀ : ପ୍ରତୀକ୍ଷାର ଅନ୍ତ । ଦୀର୍ଘ ଚାରି ମାସ ପରେ ଭକ୍ତ ଅପେକ୍ଷାର ଅନ୍ତଃ ହୋଇଛି । ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ସକାଳ ୭ଟାରୁ ସଂଧ୍ୟା ୭ ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କିନ୍ତୁ ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ । ଏହି ଦୁଇ ଦିନ ମନ୍ଦିରକୁ ସାନିଟାଇଜ୍ କରାୟିବ। ଭକ୍ତମାନେ କୋଭିଡ ଆରଟିପିସିଆର୍ ନେଗେଟିଭ ରିପୋର୍ଟ ବା ଦୁଇଟି ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇ ଭିତରକୁ ପ୍ରବେଶ କରିବେ ।
ତେବେ ସର୍ବସାଧାରଣ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ଼ ସହ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରୁ ୫ଟି ଧାଡ଼ି ବ୍ୟବସ୍ଥା କରାଯାଇଛି । ସମସ୍ତେ ବାରିକେଡ ଦେଇ ସିଂହଦ୍ୱାର ଭିତରକୁ ପ୍ରବେଶ କରିବେ । ଦର୍ଶନ ସମୟରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ବାଟ ଦେଇ ଭକ୍ତମାନେ ମୋବାଇଲ୍ ଓ ଜୋତାଷ୍ଟାଣ୍ଡ ନିକଟକୁ ଯାଇ ଆବଶ୍ୟକ ଆସବାବପତ୍ର ରଖିବା ପରେ କିଓସ୍କ କେନ୍ଦ୍ରରେ ଆବଶ୍ୟକ ପ୍ରମାଣପତ୍ର ଦେଖାଇବେ। କିଓସ୍କ କେନ୍ଦ୍ରରେ ଫଟୋ ଉତ୍ତୋଳନ ପରେ ଭକ୍ତମାନେ ନୂଆ ସେଡ୍ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ନୂଆ ସେଡ୍ ଦେଇ ଯିବାବେଳେ ଭକ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସ୍ ଓପି ଅନୁଯାୟୀ,ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଉତ୍ତର ଦ୍ୱାର ଦେଇ ବାହାରିବେ। ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପରିଧାନ କରିବେ। ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍ କରିବେ। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶ ସହ ଦୀପ, ଧୂପ, ଫୁଲ, ଭୋଗ ଆଦି ନେବାରେ କଟକଣା ଲଗାଯାଇଛି। ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ କିଣିପାରିବେ, କିନ୍ତୁ ଶ୍ରୀମନ୍ଦିର ଭିତରେ ଖାଇ ପାରିବେନାହିଁ। କୋରୋନା ଯୋଗୁଁ ଚାରି ମାସରୁ ଅଧିକ ସମୟ ବନ୍ଦ ରହିଥିଲା ଶ୍ରୀମନ୍ଦିର । ଏହି ମାସ ୧୬ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦା ଦିଅଁ ଦର୍ଶନ କରିଥିଲେ ।
ସୂଚନା ଯେ, ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ କିମ୍ବା ଦୁଇଟି ଡୋଜ ଟିକାର ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଛି । ସେହିପରି ଗତ ୧୭ ତାରିଖରୁ ୱାର୍ଡୱାରୀ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ପୁରୀବାସୀ । ଗତ ୫ ଦିନ ଧରି ପୁରୀର ପ୍ରାୟ ୩୨ଟି ୱାର୍ଡର ୫୦ରୁ ଉର୍ଦ୍ଧ୍ୱ ସ୍ଥାନୀୟ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅନ୍ୟପଟେ ଗତକାଲି ରବିବାର ସଟଡାଉନ ଥିବାରୁ ଶ୍ରୀମନ୍ଦିରକି ସାନିଟାଇଜ କରାଯାଇଥିଲା । ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ଅଗ୍ନିଶନ ବିଭାଗ, ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାର ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଥିଲା । ଶ୍ରୀମନ୍ଦିରର ଚାରି ଦ୍ୱାର, ଜୋତା ଷ୍ଟାଣ୍ଡ, ବ୍ୟାରିକେଟ ଓ ଅନ୍ୟାନ୍ୟ ସମସ୍ତ ସ୍ଥାନକୁ ବିଶୋଧନ କରାଯାଇଥିଲା ।


