ବାଲେଶ୍ୱର : ଜିଲାରେ ଏସସିଏସପି କାର୍ଯ୍ୟକ୍ରମର ଶୁଭାରମ୍ଭ
- ମଧୁରମାଛ ଚାଷୀଙ୍କୁ ସରକାରୀ ସହଯୋଗ ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ କୁଇନ କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏସସିଏସପି (ଅନୁସୂଚିତ ଜାତି ସବ୍ ପ୍ଲାନ୍) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅନୁସୂଚିତ ବର୍ଗଙ୍କ ଆର୍ଥିକ ସ୍ଥିତିର ସୁଧାର ପାଇଁ ମନୋନୀତ ଚାଷୀଙ୍କୁ ମତ୍ସ୍ୟଚାଷ ନିମନ୍ତେ ସମସ୍ତ ପ୍ରକାର ସରକାରୀ ପ୍ରୋତ୍ସାହନ ପ୍ରଦାନ ଆରମ୍ଭ ହୋଇଛି । ଏହି ଅବସରରେ ଅନୁସୂଚିତ ବର୍ଗର ଚାଷୀଙ୍କୁ ସାଂସଦ ଶ୍ରୀ ଷଡ଼ଙ୍ଗୀ ମଧୁର ମାଛ ଜାଆଁଳ ଓ ମାଛଖାଦ୍ୟ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲାର ନୀଳିଗିରି ଓ ସଦର ବ୍ଲକର ଅନୁସୂଚିତ ବର୍ଗର ମନୋନୀତ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଚାଷୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି ।
ସମସ୍ତ ବର୍ଗର ଚାଷୀଙ୍କ ପାଇଁ ସରକାରୀ ରିହାତି ବ୍ୟବସ୍ଥା ଥିବାବେଳେ ଅନୁସୂଚିତ ବର୍ଗ ଓ ମହିଳା ଚାଷୀଙ୍କ ପାଇଁ ୬୦%ରୁ ଅଧିକ ଅର୍ଥ ସରକାର ବହନ କରୁଛନ୍ତି । ତେବେ ସାଧାରଣ ବର୍ଗଙ୍କ ପାଇଁ ୪୦% ରିହାତି ବ୍ୟବସ୍ଥା ରହିଛି । ସରକାରଙ୍କ ପକ୍ଷରୁ ମାଛ ଜାଆଁଳ, ମାଛଖାଦ୍ୟ ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ତଥା ବୈଷୟିକ ସହାୟକ ଯୋଗାଇ ଦିଆଯାଉଛି । ଅଧିକରୁ ଅଧିକ ଚାଷୀ ଏହି ଯୋଜନାରେ ସାମିଲ ହେବା ପାଇଁ ସାଂସଦ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ଏନଏଫଡିବିର ବରିଷ୍ଠ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏମ କେ ସିହ୍ନା, ମତ୍ସ୍ୟ ବୈଜ୍ଞାନିକ ଡକ୍ଟର ହିମାଂଶୁ କୁମାର ଦେ, ଆଇସିଏଆର ଓ ସିଫାର ମୁଖ୍ୟ ଡକ୍ଟର ସତ୍ୟନାରାୟଣ ସେଠୀ, ଚନ୍ଦ୍ରକାନ୍ତ ମିଶ୍ର, ମୁକୁନ୍ଦଦେବ ଦାସ, ବ୍ୟକ୍ତିଗତ ସଚିବ ଡିପି ରଥ, ଶିଶିର କୁମାର ମହାନ୍ତି ପ୍ରମୁଖ ଏହି ଉପସ୍ଥିତ ଥିଲେ ।
