ଆଜି ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ
- ଶ୍ରୀଜୀଉଙ୍କୁ ଲାଗି ହେବ ରାକ୍ଷୀ ଓ ଗୁଆରୀ ମାଳ
ପୁରୀ : ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ଭଗବାନ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ ଉଲ୍ଲେଖ ରହିଛି । ସେ ଭଗବାନ ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା । ଜଗନ୍ନାଥ ସଂସ୍କୃତିରେ ବଳରାମଙ୍କୁ ବଳଭଦ୍ର ନାମରେ ପୂଜା କରାଯାଇଥାଏ । ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ ମଠ ମନ୍ଦିରରେ ବିଶେଷକରି କୃଷ୍ଣ-ବଳରାମ ମନ୍ଦିରରେ ଓ ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାନୀତି ହୋଇଥାଏ । ଏହି ଦିନ ଅଗଣିତ ଆଶ୍ରିତମାନେ ସଂଧ୍ୟା ସମୟରେ ବଳଭଦ୍ରଙ୍କ ପବିତ୍ର ଦର୍ଶନ ପୂର୍ବକ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ।
ଏହି ଅବସରରେ ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରାଯାଇଥାଏ । ଏହି ପବିତ୍ର ଜନ୍ମୋତ୍ସଵ ବିଧି ବିଧାନର ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ । ଶ୍ରୀବିଗ୍ରହମାନଙ୍କୁ ତିନିଗୋଟି ଆଜ୍ଞାମାଳ, ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯାଏ । ବଳଭଦ୍ରଙ୍କ ସମ୍ମୁଖରେ କଳସ ସ୍ଥାପନ କରାଯାଇ ଷଷ୍ଠିଦେବୀଙ୍କୁ ରଖାଯାଇ ପୂଜାବିଧି ତୀଥି, ରାଶି, ନକ୍ଷେତ୍ର ଅନୁଯାୟୀ ହୋଇଥାଏ । ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଇଥାନ୍ତି ଓ ସେଠାରେ ଥିବା ଚକଡ଼ା ଉପରେ ବିଜେ କରିଥାନ୍ତି । ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ସେବକମାନେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି । ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଞ୍ଚଉପଚାରରେ ଶୀତଳ ଭୋଗ ମଣୋହି କରିଥାନ୍ତି । ଏହାପରେ ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିଙ୍କ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସଂପନ୍ନ ହେବା ପରେ ମୂର୍ତ୍ତିଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରିଥାନ୍ତି । ବଳଭଦ୍ରଙ୍କ ଜନ୍ମ ନୀତି ସମ୍ପନ୍ନ ପରେ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ଶ୍ରୀମନ୍ଦିର ବାହୁଡା ବିଜେ କରିଥାନ୍ତି।
