ସୁରକ୍ଷା ବାହିନୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦର ୩ ଆତଙ୍କୀ ନିହତ
ଜାମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରରେ ଲଗାତାର ୩ୟ ଦିନରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଶନିବାର ଅବନ୍ତୀପୋରାର ନାଗବେରନ ତ୍ରାଲ ଅଞ୍ଚଳରେ ଆତଙ୍କବାଦୀଙ୍କୁ ମୁକାବିଲା କରିଛନ୍ତି ସୁରକ୍ଷାବାହିନୀ । ଏଥିରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦର ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ଗୋଟିଏ ଦିନ ପୂର୍ବରୁ ସୁରକ୍ଷା ବାହିନୀ ସହିତ ଗୁଳିବିନିମୟ ସମୟରେ ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।
ସୂଚନା ଯେ, ତ୍ରାଲ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ସୁରକ୍ଷାକର୍ମୀ ଏହି ସୂଚନା ପାଇବା ପରେ ପୁରା ଅଞ୍ଚଳକୁ ଘେରିଯାଇଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଚାରିପଟୁ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରିଥିବା ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିନ୍ତୁ ସେନାବାହିନୀ ଆତଙ୍କୀଙ୍କ ଗୁଳିର ଦୃଢ ଜବାବ ଦେଇଥିଲେ । କିଛି ସମୟ ଧରି ଆତଙ୍କୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦର ୩ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ସେପେଟ ଏବେବି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବାର ସୂଚନା ରହିଛି । ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଜାରି ରଖିଛି ।
