ବଦଳିବ ପଞ୍ଚାୟତ ନିର୍ବାଚନ ଢାଞ୍ଚା !
- ଭୋଟ୍ ଦିନ ଆଉ ଗଣତି ହେବନାହିଁ, ବ୍ଲକ୍ରେ ହେବ ଗଣତି
ଭୁବନେଶ୍ୱର : ବଦଳିବ ପଞ୍ଚାୟତ ନିର୍ବାଚନର ଢାଞ୍ଚା । ଆଉ ଏଣିକି ଭୋଟ ଦିନ ହେବନି ଗଣତି । ଚୂଡାନ୍ତ ହୋଇଥିବା ତାରିଖରେ ପ୍ରକାଶ ପାଇବ ଫଳାଫଳ । ସେହିପରି ବୁଥ୍ରେ ନୁହେଁ ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି। ଭୋଟ ଗ୍ରହଣ ପରେ ଭୋଟ୍ ବାକ୍ସ ସିଲ କରି ବ୍ଲକରେ ରହିବ। ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ଗଣତି ହେବ। ପଞ୍ଚାୟତିରାଜ ବିଭାଗ କାଉଣ୍ଟିଂ ନେଇ ନୂଆ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଏକ ଡ୍ରାଫଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ୧୫ ଦିନ ଭିତରେ ଆପତ୍ତି ଓ ଅଭିଯୋଗ ପରେ ଚୂଡାନ୍ତ ଗେଜେଟ ନୋଟିଫିକେସନ ପ୍ରକାଶ ପାଇବ। ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ।
ଓଡ଼ିଶା ଗ୍ରାମ ପଞ୍ଚାୟତ ଇଲେକସନ ସଂଶୋଧନ ରୁଲ ୨୦୨୧ ଅନୁସାରେ ଭୋଟ୍ ଗ୍ରହଣ ଦିନ ହେବନି କାଉଣ୍ଟିଂ। ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ ଅଫିସର, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ ବକ୍ସ ଓ ଅନ୍ୟାନ୍ୟ ପେପର ସିଲ୍ କରିବେ। ତା’ପରେ ତାକୁ ଇଲେକସନ ଅଫିସରଙ୍କ ପାଖକୁ ପଠାଯିବ। ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟି ହେବ। ଏହାକୁ ସେଣ୍ଟ୍ରାଲ୍ କାଉଣ୍ଟିଂ କୁହାଯିବ। ପ୍ରାର୍ଥୀ ଓ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଧାର୍ଯ୍ୟ ତାରିଖରେ ଗଣତି ହେବ। ପୂର୍ବରୁ କିନ୍ତୁ ଏହି ବ୍ୟବସ୍ଥା ନଥିଲା। ପଞ୍ଚାୟତ ନିର୍ବାଚନରେ ଭୋଟ୍ଗ୍ରହଣ ଦିନ ସେହି ବୁଥ୍ରେ ଆଉ ଗଣତି ହେବ ନାହିଁ। ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଦିନରେ ସାରା ରାଜ୍ୟରେ ଗଣତି ହେବ। ଏମିତି ଏକ ନୂଆ ନିୟମ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାର ଏକ ଚିଠା ନିୟମ ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସାଧାରଣ ଲୋକଙ୍କ ଆପତ୍ତି, ଅଭିଯୋଗ ଓ ମତାମତ ମଗାଯାଇଛି। ୧୫ ଦିନ ଭିତରେ ଲୋକ ମତାମତ ଦେଲା ପରେ ଚୂଡ଼ାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଗ୍ରହଣ ଦିନ ବୁଥ୍ରେ ଗଣତି ହେଉଥିଲା। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦର ଫଳାଫଳ ସଙ୍ଗେ ସଙ୍ଗେ ଜଣାପଡ଼ିଯାଉଥିଲା। ଏହାର ପ୍ରଭାବ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନରେ ପଡ଼ୁଥିଲା। ନୂଆ ନିୟମ ଅନୁସାରେ ଆଉ ଭୋଟ୍ ଗ୍ରହଣ ଦିନ ଗଣତି ହେବ ନାହିଁ। ଭୋଟ୍ ଗ୍ରହଣ ଶେଷ ହେବା ପରେ ପ୍ରାର୍ଥୀ କିମ୍ବା ତାଙ୍କ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ପ୍ରିଜାଇଡିଂ ଅଫିସର୍ ବାଲଟ୍ ବକ୍ସ ଓ ଅନ୍ୟାନ୍ୟ କାଗଜପତ୍ର ସିଲ୍ କରିବେ। ତାହା ପରେ ତା’କୁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯିବ ଓ ବ୍ଲକ୍ ମୁଖ୍ୟାଳୟରେ ତାହା ସୁରକ୍ଷିତ ଭାବେ ରହିବ। ରାଜ୍ୟରେ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ୍ରେ ଗଣତି ହେବ। ଗଣତି ସମୟରେ ପ୍ରାର୍ଥୀ ଓ ତାଙ୍କ ଏଜେଣ୍ଟଙ୍କୁ ରହିବା ପାଇଁ ଅନୁମତି ଦିଆଯିବ। ଏହି ନୂଆ ବ୍ୟବସ୍ଥା ପାଇଁ ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ନିୟମରେ ସଂଶୋଧନ ଅଣାଯାଇଛି।
