ଓଡ଼ିଶା ହାଇକୋର୍ଟର ମୁଖ୍ୟ ଵିଚାରପତିଙ୍କ ସୁନ୍ଦରଗଡ଼ ଗସ୍ତ, ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା
ସୁନ୍ଦରଗଡ଼ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ଵିଚାରପତି ଜଷ୍ଟିସ ଡ. ଏସ. ମୁରଲୀଧର ଶୁକ୍ରବାର ସୁନ୍ଦରଗଡ଼ ଗସ୍ତରେ ଯାଇଛନ୍ତି । ସେଠାରେ ଜିଲା କୋର୍ଟର ଜିଲା ଜଜ୍ ଓ ଅନ୍ୟ ବିଚାରପତିମାନଙ୍କ ସହ ଵିଭିନ୍ନ ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ମାମଲାଗୁଡିକର ଶୁଣାଣି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱରୋପ କରିଥିଲେ।
ଏହାପରେ ଜିଲା ଓକିଲ ସଂଘର ଅନୁରୋଧକ୍ରମେ ଜଷ୍ଟିସ ଡ. ମୁରଲୀଧର କୋର୍ଟ ପରିସରରେ ଥିବା ସଂଘ କାର୍ଯ୍ୟାଳୟକୁ ଯାଇ ଓକିଲମାନଙ୍କ ସହ ଭାବ ବିନିମୟ କରିଥିଲେ । ବିଚାରପତି ଓ ଓକିଲମାନଙ୍କ ସମ୍ପର୍କ କିପରି ରହିବା ଉଚିତ, ବିଚାର ପ୍ରକ୍ରିୟାରେ ଓକିଲମାନଙ୍କ ବଳିଷ୍ଠ ଭୂମିକା ଓ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଉପରେ ଉପାଦେୟ ପରାମର୍ଶ ଦେଇଥିଲେ। ଏହି ଆଲୋଚନା ସମୟରେ ଓକିଲ ସଂଘ ସଭାପତି ସୁକାନ୍ତ ମହାପାତ୍ର, ସମ୍ପାଦକ ଅଶୋକ ସ୍ୱାଇଁ, ଉପ-ସଭାପତି ନରେଶ ନାଏକ, ଯୁଗ୍ମ ସମ୍ପାଦକ ପ୍ରଣଵ କୁମାର ହାତୀ, ବରିଷ୍ଠ ଆଇନଜୀଵୀ ନିମାଇଁ ଚରଣ ନାଏକ, ଅଶୋକ ଦାଶ ଏବଂ କିଶୋର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
