ବଢ଼ିଲା କଂଗ୍ରେସ କନ୍ଦଳ : ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରଖିବି
ଭୁବନେଶ୍ୱର : କଂଗ୍ରେସରେ ଫାଟ ବଢ଼ିବାରେ ଲାଗିଛି । ଦଳ ଭିତରେ ରହିଥିବା ମନାନ୍ତର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ଆରୋପ, ପ୍ରତ୍ୟାରୋହ ଚାଲିଥିବାବେଳେ ବିଗିଡ଼ି ଯାଇଥିବା ସ୍ଥିତିକୁ ସୁଧାରିବା ପାଇଁ ଦଳର ଶୀର୍ଷ ନେତୃତ୍ୱ କଣ ପଦକ୍ଷେପ ନେବେ ତାହାକୁ କର୍ମୀମାନେ ଅପେକ୍ଷା କରି ରହିଛନ୍ତି। ଏହାରି ମଧ୍ୟରେ କରୋନାରୁ ସୁସ୍ଥ ହେବା ପରେ ଏବେ ସକ୍ରିୟ ରାଜନୀତିକୁ ଫେରିଛନ୍ତି କଂଗ୍ରେସର ହେବିଓ୍ୱେଟ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ, ମୁଁ କଂଗ୍ରେସରେ ରହିବି, କିନ୍ତୁ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରଖିବି । ନିରଞ୍ଜନଙ୍କ ବର୍ତ୍ତମାନ ପିସିସି ସଭାପତି ପଦ ଛାଡି ଦେବା କଥା । କାରଣ ଏବେ ତାଙ୍କର ବୟସ ହୋଇଗଲାଣି । ବିବାଦ ସମାଧାନ ବଦଳରେ ବିବାଦ ବଢାଉଛନ୍ତି ନିରଞ୍ଜନ । ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଜିତିଥାନ୍ତି । ଆଉ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଜିତିଥାନ୍ତି । କିନ୍ତୁ କଂଗ୍ରେସ ବିଧାୟକ ନିରଞ୍ଜନଙ୍କ ନାଁରେ ଜିତନ୍ତି ନାହିଁ । ସେହିପରି ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ତାରା । ସେ କହିଛନ୍ତି ଗରିବଙ୍କ ସ୍ୱାସ୍ଥ୍ୟକୁ ନେଇ ବିଜେଡି ବିଜେପି ରାଜନୀତି ନ କରନ୍ତୁ । ଓଡ଼ିଶାରେ କୌଣସି ସରକାରୀ କି ଘରୋଇ ମେଡିକାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାମ କରୁନି ।
ସୂଚନା ଯେ, ୨୦୧୯ ନିର୍ବାଚନରେ ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସ କେବଳ ୯ଟି ବିଧାନସଭା ଆସନରେ ବିଜୟ ହୋଇଥିଲା। ତେଣୁ ଦଳକୁ ସୁଦୃଢ଼ କରିବାକୁ ହେଲେ ପିସିସି ସଭାପତିଙ୍କୁ ହଟାଇବାକୁ ପଡ଼ିବ ବୋଲି ପ୍ରକାଶ କରିଛନ୍ତି। ଏ ନେଇ ଏଆଇସିସି ସଭାପତି ଓ ଉପସଭାପତିଙ୍କ ପାଖରେ ଦାବି କରିବୁ। ଯଦି ଦିଲ୍ଲୀରେ ଏଆଇସିସି ନ ଶୁଣନ୍ତି ତେବେ ରାଜଧାନୀରେ ଲଢେଇ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ବାହିନୀପତି। ସେହିପରି ବାହିନୀପତି କୋରାପୁଟ ସାଂସଦ ସପ୍ତଗିରିଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ଜାଣିଶୁଣି ଗତକାଲି କୋରାପୁଟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀକୁ ତାଙ୍କୁ ଡକାଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି। ଗତକାଲି ପଟାଙ୍ଗି ବ୍ଲକ୍ର ୯ଟି ସ୍ଥାନରେ ଖଣି ଖନନ ନିମନ୍ତେ ପଲ୍ଲୀସଭା କରିବାକୁ ନିର୍ଦ୍ଧାରିତ ହୋଇଥିଲା। ଏହି ପଲ୍ଲୀସଭାକୁ ଯେମିତି କୌଣସି ସାମ୍ବାଦିକ ଯାଇପାରିବେ ନାହିଁ ସେହି ଉଦ୍ଦେଶ୍ୟରେ କୋରାପୁଟରେ ସାମ୍ବାଦିକ ସମ୍ମିଳନୀ ସାଂସଦ କରିଥିଲେ। ନିର୍ବାଚନ ଜିତିବାର ଦୁଇ ବର୍ଷ ପରେ ସାଂସଦ କୋରାପୁଟରେ ସାମ୍ବାଦିକ ସମ୍ମିଳନୀ କରିବା ପଛରେ ଚକ୍ରାନ୍ତ ଥିଲା ବୋଲି ଅଭିଯୋଗ କରିଛନ୍ତି।
