ପୂର୍ବ ଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ : କେନ୍ଦ୍ର ରେଳମନ୍ତ୍ରୀ
ରାୟଗଡ଼ା : ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ ରାୟଗଡା ଜିଲା ଗସ୍ତରେ ଯାଇଛନ୍ତି । ଜନ ଆଶୀର୍ବାଦ ଯାତ୍ରାରେ ଯାଇ ଭୁବନେଶ୍ୱର ଠାରୁ ରେଳ ଯୋଗ ସେ ରାୟଗଡାରେ ପହଞ୍ଚିଥିଲେ । ରାୟଗଡା ରେଳ ଷ୍ଟେସନରେ ପହଞ୍ଚିବା ପରେ କିଛି ଯାତ୍ରୀ ସହିତ କଥା ମଧ୍ୟ ହୋଇଥିଲେ । ସେଠାରେ ତାଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଦଳୀୟ ନେତା, କର୍ମୀ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଏଣେ ରାୟଗଡ଼ା, ବିଷମ କଟକ, ଗୁଣୁପୁର ଅଞ୍ଚଳରୁ ଆସିଥିବା ଲୋକେ ବିଭିନ୍ନ ଦାବି ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲା ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ସର୍କିଟ ହାଉସ ଅଣାଯାଇଥିଲା । ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ପଦ୍ମଶ୍ରୀ ଶାନ୍ତି ଦାସଙ୍କୁ ରାୟଗଡ଼ା ସ୍ଥିତ ବାସଭବନରେ ଭେଟି ତାଙ୍କର ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ କହିଥିଲେ।
ଏହି ଅବସରରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ରେଳବାଇ, ଗମନାଗମନ, ଶିକ୍ଷା, ଜଳସଂପଦ, ଜନଜାତି ବିକାଶ ଓ ଆଇଟି ଭଳି ୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓଡ଼ିଶାକୁ ଦିଆଯାଇଛି। ରାୟଗଡ଼ାରେ ନୂତନ ରେଳ ଡିଭିଜନ୍ କାର୍ଯ୍ୟ ଆଗେଇ ଚାଲିଛି। ସେହିପରି ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟସ୍ତରର ସମସ୍ତ ଅଧାପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।




