ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ
ଭୁବନେଶ୍ୱର : ବିଜେଡି ସାଂସଦ ଭର୍ତୃହରି ମହତାବ ଓ ତାଙ୍କ ପରିବାର ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସାଂସଦଙ୍କ ବୋହୂ ସାକ୍ଷୀ । ଅପରପକ୍ଷରେ ଯୌତୁକ ଅଭିଯୋଗ କଣ ୪/୫ ବର୍ଷ ପରେ କରାଯାଏ କି ବୋଲି ଭର୍ତୃହରି ପ୍ରଶ୍ନ କରିଛନ୍ତି । ଭର୍ତୃହରିଙ୍କ ପୁଅ ଲୋକରଂଜନଙ୍କୁ ବିବାହ କରିଥିବା ବୋହୂ ସାକ୍ଷୀ ସାଂସଦ ଭର୍ତୃହରିଙ୍କ ସମେତ ପତ୍ନୀ ଏବଂ ପୁଅଙ୍କ ବିରୋଧରେ ଭୋପାଳ ମହିଳା ଥାନାରେ ଗତ ୧୬ ତାରିଖରେ ଦେଇଛନ୍ତି ଏତଲା । ୩ ପୃଷ୍ଠାର ଅଭିଯୋଗ ଫର୍ଦ୍ଦରେ ସାକ୍ଷୀ ଦର୍ଶାଇଛନ୍ତି ଯେ, ବିବାହ ସମୟରେ ଯୌତୁକ ବାବଦକୁ ଅଢ଼େଇ କୋଟି ଟଙ୍କାର ସୁନା ଗହଣା ସହ ଅନ୍ୟାନ୍ୟ ଡ୍ରେସ ଦିଆଯାଇଥିଲା । ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବି କରିଥିଲେ ଶାଶୂଘର ଲୋକେ । ତାସହ ମାନସିକ ଏବଂ ଶାରିରୀକ ନିର୍ଯାତନା ବି ଦେଇଥିଲେ । ଏପରିକି କଟକ ସ୍ଥିତ ଘରୁ ତାଙ୍କୁ ବାହାର କରି ଦିଆଯାଇଥିବା ନେଇ ସାକ୍ଷୀ ଏତଲାରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ କୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ ସାକ୍ଷୀ । କୋର୍ଟ ସାଂସଦ ଭର୍ତୃହରିଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ରହିବାକୁ ଅନୁମତି ଦେଇଥିଲେ । ତଥାପି ଶାଶୂଘର ଲୋକେ ଗ୍ରହଣ କରିନଥିବା ଦର୍ଶାଇ ଭୋପାଳର ମହିଳା ଥାନାରେ ଏତଲା ଦେଇଛନ୍ତି ସାକ୍ଷୀ । ଏତଲା ଆଧାରରେ ୪୯୮-ଏ, ୪୦୬, ୫୦୬ ଏବଂ ଧାରା ୩୪ ଆଧାରରେ ମାମଲା ରୁଜୁ କରିବା ସହ ଖୁବଶୀଘ୍ର ମହତାବଙ୍କ ପରିବାରକୁ ନୋଟିସ୍ ପଠାଯିବ ବୋଲି କହିଛି ଭୋପାଳ ପୁଲିସ ।
ବୋହୂର ଯୌତୁକ ନିର୍ଯାତନା ଅଭିଯୋଗ ନେଇ ପ୍ରତିକ୍ରିୟା ରଖି କଟକ ସାଂସଦ ଭର୍ତୃହରି ମହତାବ କହିଛନ୍ତି ଯେ, ମୋ ଜୀବନ ଏକ ଖୋଲାବହି । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଥିଲେ । ନିର୍ବନ୍ଧ ବେଳେ ନବୀନ ଥିଲେ, ରିସେପ୍ସନ୍ ରେ ବି ସେ ଥିଲେ । ପରିବାରର ବଡ଼ ଭାଇ ଭାବେ ସେ ଏସବୁ କଥା ଜାଣିଥିଲେ । ସେ କହିଛନ୍ତି ଯେ, ନିର୍ବାଚନ ହେଲା ୨୦୧୯ରେ, ୨୦୧୮ ଶେଷ ଆଡକୁ ସେ ଜାଣିଥିଲେ । ଯୌତୁକ ଅଭିଯୋଗ କଣ ୪/୫ ବର୍ଷ ପରେ କରାଯାଏ କି ବୋଲି ଭର୍ତୃହରି ପ୍ରଶ୍ନ କରିଛନ୍ତି । ଜଣେ ବାପା ହିସାବରେ ମୁଁ ଚାହୁଁଥିଲି ସେମାନେ ଏକାଠି ରହନ୍ତୁ । କୌଣସି କାରଣରୁ ସେମାନେ ୪/୫ ଦିନ ଏକାଠି ରହିପାରିଲେନି ବୋଲି ଭର୍ତୃହରି କହିଛନ୍ତି । ଭୋପାଳ ନିବାସୀ ସାକ୍ଷୀଙ୍କ ସହ ଲୋକରଂଜନଙ୍କ ମଧ୍ୟରେ ୨୦୧୬ ଡିସେମ୍ବର ୧୨ରେ ନୂଆଦିଲ୍ଲୀରେ ବେଶ ଧୂମଧାମରେ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା ।
