ଛାତ୍ରଛାତ୍ରୀମାନଙ୍କୁ ଭତ୍ତା ସହ ରାଜ୍ୟର ୧କୋଟି ଯୁବକଙ୍କୁ ସ୍ମାର୍ଟଫୋନ ଦେବେ ଯୋଗୀ ସରକାର
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ ଅଧିବେଶ ଜାରି ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି । ବଜେଟରେ ୩ଟି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଭତ୍ତା, ୧ କୋଟି ଯୁବକଙ୍କୁ ମାଗଣା ସ୍ମାର୍ଟଫୋନ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟର ମାଫିଆମାନଙ୍କ ଠାରୁ ଜବତ କରାଯାଇଥିବା ଜମିରେ ଗରିବ ଲୋକଙ୍କ ପାଇଁ ଘର, ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବାକୁ ବି ଯୋଗୀ ସରକାର ପାରିତ କରିଥିବା ବଜେଟରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ରାଜ୍ୟର ଓକିଲମାନଙ୍କ ସୁରକ୍ଷା ପାଇଁ ବଜେଟରେ ଅତିରିକ୍ତ ଅର୍ଥ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ସୂଚନା ଯେ, ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ପ୍ରତି ବ୍ୟକ୍ତିଙ୍କ ଆୟ ୨ ଗୁଣା ବଢିଛି । ପ୍ରଥମେ ରାଜ୍ୟ ଦଙ୍ଗା ଓ ଭ୍ରଷ୍ଟାଚାରରେ ୧ ନମ୍ବର ଥିବା ବେଳେ ଏବେ ବିକାଶରେ ୧ ନମ୍ବର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅନ୍ୟପଟେ ବିରୋଧୀମାନଙ୍କୁ ଟାର୍ଗେଟ କରି ଯୋଗୀ କହିଥିଲେ ଯେ, ଯେଉଁ ଲୋକମାନେ ରାମଙ୍କୁ ନେଇ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଥିଲେ ସେମାନେ ଆଜି ରାମଙ୍କର ବଡ଼ ଭକ୍ତ ବୋଲି କହିଲେଣି ।
