ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ ଆରଟିପିସିଆର୍ ପରୀକ୍ଷା
- ଟିକା ନେଇ ନଥିଲେ ବିଧାନସଭା ପରିସରକୁ ପ୍ରବେଶ ମନା
ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । କୋଭିଡ୍ ଗାଇଡଲାଇନ୍କୁ ଦୃଷ୍ଟିରେ ରଖି ଅଧିବେଶନ ପୂର୍ବରୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର ଆରଟିପିସିଆର୍ ପରୀକ୍ଷା ହେବ। ବିଧାୟକମାନଙ୍କ ଗାଡ଼ିର ଡ୍ରାଇଭରମାନଙ୍କ ମଧ୍ୟ ଆରଟିପିସିଆର ପରୀକ୍ଷା ହେବ। ଯେଉଁମାନଙ୍କର ନମୁନା ନେଗେଟିଭ୍ ଆସିବ, ସେମାନଙ୍କୁ ବିଧାନସଭାକୁ ଅନୁମତି ମିଳିବ। ସେହିପରି ଟିକା ନେଇ ନଥିବା ବ୍ୟକ୍ତି ବିଧାନସଭା ପରିସରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ଏନେଇ ତିନିଦିନ ଧରି ଆସନ୍ତା ୨୯, ୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ ଦଫାରେ ଏହି ଟିକା ପ୍ରଦାନ କରାଯିବ । ସକାଳ ୮.୩୦ରୁ ଆରମ୍ଭ ହୋଇ ୧.୩୦ରେ ପ୍ରଥମ ଓଳି ଟିକା ଦିଆଯିବାକୁ ଥିବା ବେଳେ ଅପରାହ୍ନ ୩ରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ କରୋନା ଟିକା ଦିଆଯିବା ନେଇ ସୂଚନା ଦିଆଯାଇଛି । ସୂଚନା ଯେ, ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେଟର ୧ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟଦିବସ ରହିଛି। ୫ ତାରିଖରେ ରବିବାର ଛୁଟି ରହିଛି। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ବିଜ୍ନେସ୍ ରଖାଯାଇଛି। ଷୋଡ଼ଶ ବିଧାନସଭାର ଏହି ସପ୍ତମ ଅଧିବେଶନ ପାଇଁ ଚଳିତ ମାସ ୧୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଥିଲା। ମୌସୁମୀ ଅଧିବେଶନରେ ମଧ୍ୟ ପୂର୍ବ ପରି କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଗୃହ ପରିଚାଳିତ ହେବ ବୋଲି ବାଚସ୍ପତି କହିଛନ୍ତି ।
