ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ଭିଡିଓ ସହ ଚାଲାଣ ପଠାଯିବ
- ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ନିୟମରେ ସାମାନ୍ୟ ପରିବର୍ତ୍ତନ
ନୂଆଦିଲ୍ଲୀ : ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ନିୟମରେ ସାମାନ୍ୟ ପରିବର୍ତ୍ତନ । ଆଗରୁ ଟ୍ରାଫିକ ନିୟମ ଭାଙ୍ଗିଲେ ଗାଡ଼ି ଚାଳକଙ୍କ ପାଖକୁ ଚାଲାଣ ପଠାଉଥିଲା ପୋଲିସ। ଏଥିପାଇଁ ପ୍ରମାଣ ସୂରୁପ ଉକ୍ତ ଗାଡ଼ିର ଫଟୋ ମଧ୍ୟ ଚାଳକଙ୍କୁ ପାଖକୁ ଯାଉଛି। କିନ୍ତୁ ଏବେ କେବଳ ଫଟୋରେ କାମ ଚଳିବ ନାହିଁ। ସେଥିପାଇଁ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଚାଳକଙ୍କୁ ଚାଲାଣ କାଟିବା ପୂର୍ବରୁ ପୋଲିସ ଫୁଟେଜ୍ କିମ୍ବା ରେକର୍ଡିଂ ଦେଖାଇବା ଅନିବାର୍ଜ୍ୟ ।
ଭିଡିଓ ରେକର୍ଡିଂ ପାଇଁ ଏବେ ରାଜ୍ୟରେ ଥିବା ଟ୍ରାଫିକ୍ ପୋଷ୍ଟରେ ଡିଜିଟାଲ୍ ଉପକରଣ ଲଗାଇବା ପାଇଁ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏନେଇ ସଡ଼କ ପରିବହନ ମନ୍ତ୍ରାଳୟ ଦେଶର ୧୩୨ ସହରକୁ ଚିହ୍ନଟ କରିଛି। ଏହି ସବୁ ସ୍ଥାନରେ ଡିଜିଟାଲ୍ ଉପକରଣ ଲାଗିବାକୁ ଥିବା ବେଳେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ପାଳନ ହେବ। ଏବେ ଟ୍ରାଫିକ୍ ପୋଲିସ ଫଟୋ ଉଠାଇବା ପରେ ଚାଲାଣ ପଠାଉଛି। ଏହା ଦ୍ବାରା ବେଳେ ବେଳେ ଟ୍ରାଫିକ୍ ପୋଲିସ ଭୁଲ ବୋଲି ମଧ୍ୟ ପ୍ରମାଣିତ ହେଉଛନ୍ତି। କୋର୍ଟରେ ମଧ୍ୟ ଉଲ୍ଲଂଘନକାରୀ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏବେ ଭିଡିଓ ରେକର୍ଡିଂ ମାଧ୍ୟମରେ ବଳିଷ୍ଠ ପ୍ରମାଣ ରଖିବାକୁ ଟ୍ରାଫିକ୍ ପୋଲିସକୁ ସହାୟତା କରିବାକୁ ଯାଉଛନ୍ତି। ଏନେଇ ମନ୍ତ୍ରାଳୟ ପକ୍ଷରୁ ୧୩୨ ସହରରେ ଡିଜିଟାଲ ଉପକରଣ ଲାଗିବ। ଉତ୍ତରପ୍ରଦେଶରୁ ମହାରାଷ୍ଟ୍ର, ଗୁଜୁରାଟରୁ ଓଡ଼ିଶା ସବୁଠି ନୂଆ ପ୍ରଯୁକ୍ତିବିଦ୍ୟା ସହ ଭିଡିଓ ରେକର୍ଡିଂ ସୁବିଧା କରିବାକୁ ଯାଉଛନ୍ତି ସରକାର। ଏଥିରେ ଉତ୍ତରପ୍ରଦେଶର ସର୍ବାଧିକ ୧୭ ସହର ସାମିଲ ରହିଛି । ସୂଚନା ଯେ, ଓଭର ସ୍ପିଡ୍, ଭୁଲ ସ୍ଥାନରେ ପାର୍କିଂ, ଚାଳକ କିମ୍ବା ପଛରେ ବସିଥିବା ଲୋକଙ୍କ ଦ୍ବାରା ନିୟମର ଉଲ୍ଲଂଘନ, ବିନା ହେଲମେଟରେ ଯାତ୍ରା, ନାଲି ବତୀ ସଙ୍କେତ ଅତିକ୍ରମ କରିବା, ଗାଡ଼ି ଚଳାଇବା ବେଳେ ଫୋନ୍ ବ୍ୟବହାର, ଓଭର ଲୋଡିଂ, ସିଟ୍ ବେଲ୍ଟ ନବାନ୍ଧିଲେ ଏବଂ ନମ୍ବର ପ୍ଲେଟ୍ ଖରାପ ଥିଲେ କିମ୍ବା ଲୁଚାଇଥିଲେ ଏଭଳି ସମୟରେ ରେକର୍ଡିଂର ଆବଶ୍ୟକ ବୋଲି ଜଣାପଡିଛି ।
