ଵାଲେଶ୍ଵର : ବିଚ୍ ରାସ୍ତାରେ ଯୁବକଙ୍କୁ ଚପଲ ମାଡ଼
ଵାଲେଶ୍ଵର : ମହଙ୍ଗା ପଡିଲା ଫେସବୁକ୍ ପ୍ରେମ । ଫେସବୁକ୍ରୁ ନମ୍ବର ଆଣି ମହିଳାଙ୍କୁ ଫୋନରେ ବାରମ୍ବାର କଲ କରି ପ୍ରେମ ନିବେଦନ କରୁଥିଲେ । ପରେ ମହିଳା ଜଣକ ଭେଟିବାକୁ ଡାକି ବିଚ୍ ରାସ୍ତା ଚପଲ ଖୋଲି ନିର୍ଧୁମ ଛେଚିବା ସହ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିଥିଲେ। ସେହିପରି ଯୁବକଙ୍କ ବାଇକ୍ ରାସ୍ତା କଡ଼କୁ ଠୋଲି ଦେଇଥିଲେ। ପରେ ଯୁବକ ଜଣକ ମହିଳାଙ୍କୁ ଭୁଲ ମାଗିଥିଲେ। ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
ସୂଚନା ଯେ, ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଶେରଗଡ ନିକଟରେ ଜଣେ ଯୁବକକୁ ଜଣେ ମହିଳା ଗୋଡାଇ ଗୋଡାଇ ଚପଲରେ ପିଟୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଖଇରା ବ୍ଲକ୍ ତୁଡିଗଡିଆ ଅଞ୍ଚଳର ଚିତ୍ତ ପାଢୀ ନାମକ ଜଣେ ଯୁବକ ଫେସବୁକରୁ ନମ୍ବର ପାଇ ଶେରଗଡ ଅଞ୍ଚଳର ଜଣେ ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ । ମହିଳାଙ୍କ ବାରଣ ସତ୍ତ୍ବେ ଯୁବକ ଜଣକ ବିଭିନ୍ନ ସମୟରେ ଫୋନ୍ କରି ଅଶ୍ଳୀଳ କଥା କହୁଥିଲେ । ମହିଳା ଜଣକ ଯୁବକଙ୍କୁ ପାନେ ଦେବା ପାଇଁ ବହଲେଇ ଫୁସଲେଇ ଫୋନ କରି ଶେରଗଡ ଟୋଲ୍ ଗେଟ୍ ନିକଟକୁ ଡାକିଥିଲେ । ଯୁବକ ଜଣକ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମହିଳା ଜଣଙ୍କ ଯୁବକଙ୍କୁ ରାଜପଥ କଡରେ ଚପଲରେ ନିସ୍ତୁକ ପିଟୁଥିବା ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ମହିଳାଙ୍କଠୁ ଉକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇଥିଲେ। ତେବେ ଏନେଇ ଥାନାରେ ମାମଲା ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।
