ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର : ଓଡିଶା ଗସ୍ତରେ ୨ କେନ୍ଦ୍ର ମନ୍ତ୍ରୀ । ବିଜେପିର ଜନ ଆଶୀର୍ବାଦ ଯାତ୍ରା ଅବସରରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ନେଇ ୨ ମନ୍ତ୍ରୀ ବିଭିନ୍ନ ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ପୁରୀ ଅଭିମୁଖେ ଯାଇଛନ୍ତି । ପୁରୀ ଗସ୍ତ ସମୟରେ ରାସ୍ତାରେ ୨ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଉଭୟ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରୀ ବୈଷ୍ଣବ ରାଜ୍ୟ ସଭାରେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିଲେ । କେନ୍ଦ୍ର ରେଳମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ଓଡିଶାଗସ୍ତରେ ଆସିଛନ୍ତି ।
ଗୁରୁବାର ପୂର୍ବାହ୍ନ ୯ଟାରେ ଦୁଇ ମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନବନ୍ଦରରେ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ। ପୂର୍ବାହ୍ନ ୯ଟା ୩୦ରେ ରାଜ୍ୟ ସଂଗ୍ରହାଳୟ ଛକ, ୧୦ଟାରେ ସାମନ୍ତରାପୁର ଛକ, ୧୦ଟା ୩୦ରେ ଲିଙ୍ଗିପୁର ଛକରେ ଦୁଇ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭୁବନେଶ୍ବରରୁ ପୁରୀ ମଧ୍ୟରେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଉଥିବା ଜଣାଯାଇଛି। ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଏକ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ଯାଇଛନ୍ତି।
ଦୁଇ ମନ୍ତ୍ରୀ ଏହି ଗସ୍ତ ସମୟରେ ବକୁଳ ବନ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏଣେ ଆଜି ସଂଧ୍ୟାରେ ଟ୍ରେନ ଯୋଗେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଯିବେ। ୨୦ ତାରିଖରେ କୋରାପୁଟରେ ରହଣୀ, ୨୧ ତାରିଖରେ ଜୟପୁର କାର୍ଯ୍ୟକ୍ରମ ସହ ନବରଙ୍ଗପୁର, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି, ପାଟଣାଗଡ଼ ଦେଇ ବଲାଙ୍ଗିର ଯିବେ । ୨୨ ତାରିଖରେ ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି ।




