ଟିକା ନେବା ପରେ ମଧ୍ୟ ୩୧ହଜାର ୭୧୨ ଜଣ ସଂକ୍ରମିତ
- ରାଜ୍ୟରେ ୨କୋଟି ଅତିକ୍ରମ କଲା ଟିକାକରଣ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ବ୍ୟାପକ ଟିକାକରଣ ଜାରି ରହିଛି । ମାତ୍ର ଟିକା ନେବା ପରେ ମଧ୍ୟ ରାଜ୍ୟରେ୩୧ ହଜାର ୭୧୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ପ୍ରଥମ ଡ଼ୋଜ ଟିକା ନେବା ପରେ ୧୭ ହଜାର ୮୨୪ ଜଣ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ଡ଼ୋଜ ଟିକା ନେବା ପରେ ୧୩ ହଜାର ୮୮୮ ଜଣ ସଂକ୍ରମିତ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ବୁଧବାର ସୂଚନା ଦେଇଛନ୍ତି ।
ସେହିପରି ରାଜ୍ୟରେ ଟିକାକରଣ ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟିକାକରଣ ୨କୋଟି ଅତିକ୍ରମ କରିଛି। ଏଯାଏଁ ରାଜ୍ୟରେ ମୋଟ ୨କୋଟି ୨୧ହଜାର ୮୧୪ଟି କୋଭିଡ ଟିକାର ଡୋଜ ଦିଆଯାଇଛି। ଏଥିରୁ ୧କୋଟି ୫୩ଲକ୍ଷ ୮୭ହଜାର ୫୭୨ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୪୬ଲକ୍ଷ ୩୪ହଜାର ୨୪୨ଟି ଦ୍ୱିତୀୟ ଡୋଜ ଦିଆଯାଇଛି। ରାଜ୍ୟରେ ୫୦ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୧ କୋଟି ୭୨ ଲକ୍ଷ ୮ ହଜାର ୨୪୮ ଜଣଙ୍କର କୋଭିଡ୍ ନମୁନା ପରୀକ୍ଷା ହୋଇଛି। ଏଥିରୁ ୯ ଲକ୍ଷ ୯୭ ହଜାର ୧୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯ ଲକ୍ଷ ୮୦ ହଜାର ୪୭୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ୯୫୩୬ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି।
