ଅଭିଷ୍କା ଗୁଣବର୍ଦ୍ଧନେ ଆଫଗାନିସ୍ତାନର ବ୍ୟାଟିଂ କୋଚ୍
ନୂଆଦିଲ୍ଲୀ : ଆଫଗାନିସ୍ତାନର ଟିମର ନୂଆ ବ୍ୟାଟିଂ କୋଚ ଭାବେ ଶ୍ରୀଲଙ୍କାର ପୂର୍ବତନ ବୋଲର ଅଭିଷ୍କା ଗୁଣବର୍ଦ୍ଧନେଙ୍କୁ ନିଯୁକ୍ତ କରାଯାଇଛି । ଆଫଗାନସ୍ତାନ କ୍ରିକେଟ ବୋର୍ଡ ଏନେଇ ଘୋଷଣା କରିଛି । ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇଯାଇଥିବା ବେଳେ ବୋର୍ଡ ଏହି ଘୋଷଣା କରିଛି । ତାଲିବାନ ଦ୍ୱାରା ନିୟନ୍ତ୍ରିତ ହୋଇଥିବା ଆଫଗାନିସ୍ତାନ କ୍ରକେଟ ପୂର୍ବ ଭଳି ରହିପାରେ ।
ଆଫଗାନିସ୍ତାନ କ୍ରିକେଟ ବୋର୍ଡ ନିଜର ଟୁଇଟର ହାଣ୍ଡେଲରେ ଟୁଇଟ କରିଛି ଯେ, ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଏବଂ କୋଚ ଅଭିଷ୍କା ଗୁଣବର୍ଦ୍ଧନେଙ୍କୁ ଆଫଗାନିସ୍ତାନର ରାଷ୍ଟ୍ରୀୟ ଟିମରେ ବ୍ୟାଟିଂ କୋଚ ଭାବେ ନିଯୁକ୍ତ କରାଯାଇଛି । ଶ୍ରୀଲଙ୍କା ତରଫରୁ ପାଖାପାଖି ୧ ଦଶନ୍ଧି ପରେ ଅନ୍ତର୍ଜାତୀୟ କ୍ୟାରିୟରରେ ଗୁଣବର୍ଦ୍ଧନେ ୬ଟି ଟେଷ୍ଟ ଏବଂ ୬୧ଟି ଦିନିକିଆ ମ୍ୟାଚ ଖେଳିଥିଲେ । ସେ ଟେଷ୍ଟ କ୍ରିକେଟରେ ୧୮୧ ରନ୍ ଓ ଦିନିକିଆରେ ଶତକ ସହିତ ୧୭୦୮ ରନ୍ ଯୋଡ଼ିଥିଲେ । ସୂଚନା ଯେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗତ ମେ’ ମାସରେ କହିଥିଲା ଯେ, ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗୁଣବର୍ଦ୍ଧନେଙ୍କୁ ଏକ ଦୁର୍ନୀତି ମାମଲାରେ ହୋଇଥିବା ୨ଟି ଅଭିଯୋଗରୁ ମୁକ୍ତ କରିଥିଲଶ । ଫଳରେ ସେ କ୍ରିକେଟ ସହିତ ସଂପର୍କିତ ଗତିବିଧିରେ ଅଂଶଗ୍ରହଣ କରିପାରିବେ । ଆଫଗାନିସ୍ତାନକୁ ଆସନ୍ତା ମାସ ଶ୍ରୀଲଙ୍କାରେ ପାକିସ୍ତାନ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ ଖେଳିବାର ଅଛି ।
