ତାଲିବାନକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କଲା ଫେସବୁକ୍
କାବୁଲ : ଆଫଗାନିସ୍ତାନ ଅକ୍ତିଆର କରି ତାଲିବାନ ନିଜକୁ ନୂଆ ସରକାର ଭାବେ ଘୋଷଣା କରିସାରିଛି । ମାତ୍ର ସାରା ବିଶ୍ୱ ତାଲିବାନକୁ ସହଜରେ ଗ୍ରହଣ କରି ପାରୁନାହିଁ । ଏହାରି ଭିତରେ ଫେସବୁକ୍ ମଧ୍ୟ ତାଲିବାନକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କରିଛି ।
ଏନେଇ ଫେସବୁକ ପ୍ରବକ୍ତା କହିଛନ୍ତି, ଆମେରିକା ଆଇନ ଅନୁସାରେ ତାଲିବାନ ଏକ ଆତଙ୍କୀ ସଙ୍ଗଠନ। ଆଉ ଏଥିପାଇଁ ଫେସବୁକ ସେବା ଲାଭ କରିବା ପାଇଁ ତାଲିବାନ ଯୋଗ୍ୟ ନୁହେଁ । ଫେସବୁକ ନିୟମ ଅନୁସାରେ କୌଣସି ଆତଙ୍କୀ ସଙ୍ଗଠନକୁ ଫେସବୁକ ପ୍ଲାଟଫର୍ମରେ ସ୍ଥାନ ଦିଆଯାଏ ନାହିଁ । ଫଳରେ ତାଲିବାନ କିମ୍ବା ତା’ ସହ ଜଡିତ କୌଣସି ବି ଆକାଉଣ୍ଟକୁ ଫେସବୁକ୍ ଅନୁମତି ଦେବ ନାହିଁ । ଆଫଗାନିସ୍ତାନର ସ୍ଥାନୀୟ ଭାଷା ଜାଣିଥିବା ଦକ୍ଷ ପ୍ରତିନିଧି ଫେସବୁକ୍ ପାଖରେ ଅଛି । ଯେଉଁମାନେ ରିତିମତ ଭାବେ ଫେସବୁକ୍ ପୋଷ୍ଟ ଉପରେ ନଜର ରଖିବେ । ତାଲିବାନ ସମର୍ଥକଙ୍କର କି ତାଲିବାନ ସମ୍ପର୍କିତ କୌଣସି ବି ପୋଷ୍ଟ ଆସିଲେ ତାକୁ ତୁରନ୍ତ ହଟାଯିବ ବୋଲି ଫେସବୁକ ପକ୍ଷରୁ ସୂଚନା ଦିଆଯାଇଛି ।
