ବାଘଛାଲ ଜବତ, ବେପାରୀ ଫେରାର
ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ବନାଞ୍ଚଳରୁ ବାଘ ଛାଲ ଜବତ ହୋଇଛି । ବାଘ ଛାଲ କିଣା ବିକା ଚାଲିଥିବା ବେଳେ ବନବିଭାଗର ସ୍ୱତନ୍ତ୍ର ଟିମ୍ ଚଢଉ କରିଥିଲା । ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି । ବିରପୁର ଜଙ୍ଗଲ ନିକଟରେ ବାଘଛାଲ କିଣାବିକା ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଏନେଇ ଉମରକୋଟ ଓ ରାଇଘର ବନବିଭାଗର ସ୍ୱତନ୍ତ୍ର ଟିମ୍ ଚଢଉ କରିଥିଲା । ପୂର୍ବରୁ ବାଘ ଛାଲ ରଖିଥିବା ନେଇ ସେମାନଙ୍କ ଉପରେ ବନବିଭାଗ ନଜର ରଖିଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢଉ କରିଥିଲା ବନବିଭାଗର ସ୍ୱତନ୍ତ୍ର ଟିମ୍ । ମାତ୍ର ବର୍ଷା ହେଉଥିବାରୁ ଘଟଣାସ୍ଥଳରୁ ଅଭିଯୁକ୍ତ ଖସିବାରେ ସକ୍ଷମ ହୋଇଥିଲା । ସେପଟରେ ବନବିଭାଗ ବାଘ ଛାଲ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ସୂଚନା ଯେ, ବାଘ ଚମଡା ବେପାରରେ ସମ୍ପୃକ୍ତ ଥିବା ବେପାରୀ ମାନଙ୍କ ଗତିବିଧି ଉପରେ ଲକ୍ଷ କରାଯାଇଥିଲା। ଗତ ୧୫ ତାରିଖ ରାତି ପ୍ରାୟ ୧୨ଟା ବେଳେ ବେପାରୀ ମାନେ ଆସି ପହଞ୍ଚି କିଣାବିକା ପାଇଁ ଉଦ୍ୟମ କରିବା ବେଳେ ବନ ବିଭାଗ ପକ୍ଷରୁ ଆତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ତେବେ ସେହି ସମୟରେ ପ୍ରବଳ ବର୍ଷା ଯୋଗୁଁ ବେପାରୀ ମାନେ ଘଟଣା ସ୍ଥଳରେ ବାଘ ଚମଡା ବ୍ୟାଗଟିକୁ ଛାଡି ଘଟଣା ସ୍ଥଳରୁ ଖସିପଳାଇବା ପାଇଁ ସଫଳ ହୋଇଥିଲେ। ଏହି ବେପାରରେ ଛତିଶଗଡର ପ୍ରାୟ ୮ ଜଣ ସାମିଲ ହୋଇଥିବା ର ସୂଚନା ମିଳିଛି । ବର୍ଷା ଓ ଅନ୍ଧାର ଯୋଗୁଁ ବେପାରୀ ମାନେ ଖସିପଳାଇବାରେ ସକ୍ଷମ ହୋଇପାରିଥିଲେ । ରାଇଘର ବନବିଭାଗ ପକ୍ଷରୁ କେସ ନଂ ୨୧/୨୧ ରେ ମାମଲା ରୁଜୁ କରାଯାଇ ବାଘ ଚମଡାରେ ସମ୍ପୃକ୍ତି ବ୍ୟକ୍ତି ମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଥିବାର ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଚଢ଼ାଉ ରେ ବନପାଳ ବିପିନ ହରୀଜନ, ବନରକ୍ଷୀ ଭୂବନେଶ୍ବର ପୂଜାରୀ, ଏ.ମନୋଜ ଓ ପାରା ଫରେଷ୍ଟର ମାନେ ଉପସ୍ଥିତ ରହିଥିଲେ।
