ଆଜି ଆସିବେ ପୁରୁଷ ଓ ମହିଳା ହକି ଦଳ
- ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତ ଓଡ଼ିଶା
- ରାଜଧାନୀର ପ୍ରମୁଖ ରାସ୍ତାଘାଟରେ ଛାଇ ଯାଇଛି ପୋଷ୍ଟର ଓ ବ୍ୟାନର
ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ। ଭାରତୀୟ ପୁରୁଷ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ ଜିତିଥିବା ବେଳେ ଅଲିମ୍ପିକ୍ସରେ ୩ୟ ପଦାର୍ପଣରେ ସେମିଫାଇନାଲ ଖେଳିଥିଲା ମହିଳା ଦଳ। ୨୦୧୮ରୁ ଓଡ଼ିଶା ସରକାର ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅଛନ୍ତି। ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ବଳରେ ଭାରତୀୟ ହକି ତା’ର ପୂର୍ବ ଗୌରବ ଫେରି ପାଇବାର ଆଭାସ ଦେଇଛି। ଅଲିମ୍ପିକ୍ସ ଅଭିଯାନ ପରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହ କଥାହେବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଗଷ୍ଟ ୧୭ରେ ଭୁବନେଶ୍ବରରେ ସମ୍ବର୍ଦ୍ଧନା ଦେବାର ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ମଙ୍ଗଳବାର ଭୁବନେଶ୍ବରର ଲୋକସେବା ଭବନରେ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଛି। ଏନେଇ ଶିଙ୍ଗ ବାଜା, ଢ଼ୋଲ ମାଡ଼ ସାଙ୍ଗକୁ ଆତସବାଜିରେ କମ୍ପିବ ସାରା ଭୁବନେଶ୍ବର । ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍ , ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟରରେ ଛାଇ ଗଲାଣି। ମାତ୍ର କେଇ ଘଣ୍ଟା ପରେ ରାଜଧାନୀରେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ପହଞ୍ଚିବେ।
ପାରମ୍ପରିକ ସ୍ବାଗତ ସମ୍ବର୍ଦ୍ଧନା ପରେ ଖେଳାଳିମାନଙ୍କୁ ବିଶାଳ ପଟୁଆରରେ ହୋଟେଲକୁ ନିଆଯିବ। ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାରମାନେ ଆସିଥିବା ଜଣାପଡ଼ିଛି। ଏଥିନେଇ ରାଜ୍ୟ ସରକାର କୌଣସି ଆନୁଷ୍ଠାନିକ ସୂଚନା ଦେଇ ନଥିଲେ ମଧ୍ୟ ଖେଳାଳିମାନେ ଯେଭଳି ଏହି ସ୍ବାଗତ ସମ୍ବର୍ଦ୍ଧନାକୁ ସବୁ ଦିନ ପାଇଁ ମନେ ରଖିବେ ସେ ବ୍ୟବସ୍ଥା କରାଯାଇଛି ବୋଲି କ୍ରୀଡ଼ା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସ୍ମରଣୀୟ ସଫଳତା ଲାଭ କରିଥିବା ଭାରତୀୟ ଖେଳାଳିମାନେ ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ବର ପହଞ୍ଚିବେ। ଏହା ପରେ ଦଳୀୟ ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ଅପରାହ୍ନ ୩ଟାରେ ଗଣମାଧ୍ୟମ ସହ ସ୍ବତନ୍ତ୍ର ଆଲୋଚନା କରିବେ। ଏହା ପରେ କଳିଙ୍ଗ ଷ୍ଟାଡିୟମ୍ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫଟୋ ସେସନ୍ରେ ଯୋଗଦେବେ। ସଂଧ୍ୟାରେ ଲୋକସେବା ଭବନ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଭାରତୀୟ ହକି ଦଳ ପାଇଁ ଓଡ଼ିଶା ଦ୍ବିତୀୟ ଘର ବୋଲି କୁହାଯାଉଥିଲା ବେଳେ ରାଜ୍ୟ ସରକାର ଜାତୀୟ ଦଳର ପ୍ରାୟୋଜକ ଅଛନ୍ତି। ସେହି ଦୃଷ୍ଟିରୁ ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବକୁ ରାଜ୍ୟ ହକିପ୍ରେମୀ ମଧ୍ୟ ଚାତକ ଭଳି ଚାହିଁ ରହିଛନ୍ତି। ତେବେ ଏହି ଉତ୍ସବ ଅବସରରେ କରୋନା ନିର୍ଦ୍ଦେଶାବଳୀର କଡ଼ା କଡ଼ି ପାଳନ କରାଯିବ। ଉତ୍ସବରେ ଯୋଗଦେବାକୁ ଥିବା ଅଧିକାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କର ବି ସୋମବାର ଆର୍ଟିପିଆର ଟେଷ୍ଟ୍ କରାଯାଇଛି। କେବଳ ନେଗେଟିଭ୍ ଥିବା ବ୍ୟକ୍ତିଙ୍କୁ ହିଁ ଉତ୍ସବରେ ଯୋଗଦେବାର ସୁଯୋଗ ମିଳିବ। ସୂଚନାଯୋଗ୍ୟ ଯେ ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ (କାଂସ୍ୟ) ଜିତି ଥିଲା ବେଳେ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିଥିବା ମହିଳା ଦଳ ସେମିଫାଇନାଲ୍ ଦଳ ଇତିହାସ ରଚିଛି। ଭାରତୀୟ ପୁରୁଷ ଦଳରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିଲା ବେଳେ ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଅଛନ୍ତି। ମଙ୍ଗଳବାର ଉତ୍ସବରେ ଭାରତୀୟ ଅଲିମ୍ପିକ୍ସ ସଂଘ ତଥା ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ, ମହାସଚିବ ରାଜୀନ୍ଦର ସିଂହ, କାର୍ଯ୍ୟକାରୀ ନିର୍ଦ୍ଦେଶକ ଆରକେ ଶ୍ରୀବାସ୍ତବ, ଓଡ଼ିଶା ହକିର ବହୁ ପୂର୍ବତନ ଖେଳାଳି, ଅମ୍ପାୟାର ଓ କ୍ରୀଡ଼ା ତାରକା ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ସେହିପରି ସକାଳ ଜଳଖିଆରେ ପୁରୁଷ ଓ ମହିଳା ହକି ଟିମର ଖେଳାଳି ପ୍ରଥମେ ପିଇବେ ଫଳ ଜୁସ, ମିଲକ ସେକ, କର୍ଣ୍ଣ?ଫେଲକ୍ସ । ଏହାପରେ ସେମାନଙ୍କ ପାଇଁ ପରଟା, ଇଡଲି, ଉପମା, ବରା ଓ ଦୋସା ଆଦି ବ୍ୟବସ୍ଥା ହୋଇଛି । ସେହିପରି ଯେଉଁ ଖେଳାଳିମାନେ ନିରାମିଷ ଖାଇବେ ସେମାନଙ୍କ ପାଇଁ ସୁଫିଆନା ପନିର ଟିକା, କ୍ରିସ୍ପି କର୍ଣ୍ଣ କବାବ, ଡାଲ ଫ୍ରାଏ, ଚିଲି ମସରୁମ ବେବି କର୍ଣ୍ଣ, ମେଥି କର୍ଣ୍ଣ ପନିର ପଲକ ଆଦି ଖାଦ୍ୟ ରହିଛି । ଏଥିସହିତ ଛେନାପୋଡ଼, ରସଗୁଲା, ଗୁଲାବ ଜାମୁନ ଓ ଆଇସକ୍ରିମ ଆଦିର ବ୍ୟବସ୍ଥା ବି କରାଯାଇଛି । ଯେଉଁ ଖେଳାଳିମାନେ ଆମିଷ ଖାଇବେ ସେମାନଙ୍କ ପାଇଁ ମଟନ ଦମ ବିରିୟାନି, ମଟନ କୁରମା, ବଟର ଚିକେନ, ପେପର ଗାର୍ଲିକ ଫିସ, ତନ୍ଦୁରୀ ଚିକେନ ଓ ଫିସ ଫିଙ୍ଗର ଆଦି ରହିଛି । ନିରାମିଷ ଖାଉଥିବା ଖେଳାଳିମାନଙ୍କ ପାଇଁ ରାତ୍ରି ଭୋଜନରେ ପନିର ପଞ୍ଜାବ ମସାଲା, ଚିଲି ଗାର୍ଲିକ ନୁଡୁଲ, ମେଥି ମଲାଇ ମଟର, ଡାଲ ମଖନୀ ଓ ମସରୁମ ବୈବି କର୍ଣ୍ଣ ରହିଛି । ମଟନ କଷା ସହିତ ଚକୁଳି, ଚିଲି ପ୍ରନ ଓ ଫିସ ହଟ ଗାର୍ଲିକ ସସ ଆଦି ଆମିଷ ଖାଉଥିବା ?ଖେଳାଳିଙ୍କ ପାଇଁ ପ୍ରସ୍ତୁତ କରାଯିବ ।


