୫ ଦିନ ଯାଏଁ ବଜ୍ରପାତ ସହ ପ୍ରବଳରୁ ଅତିପ୍ରବଳ ବର୍ଷା
- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୭ ଜିଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନରେ ସମସ୍ୟା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଥିବା ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି)ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଚିଠିରେ ଏସ୍ଆରସି ଉଲ୍ଲେଖ କରିଛନ୍ତି ଯେ, ବର୍ଷା ଯୋଗୁଁ ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ସହରାଞ୍ଚଳରେ ତଳିଆ ସ୍ଥାନରେ ପାଣି ଭର୍ତ୍ତି ହୋଇ ବିପରୀତ ପରିସ୍ଥିତି ସୃଷ୍ଟି କରିପାରେ। ତେଣୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦେଶ ଦେଇଛନ୍ତି। ବର୍ଷାର ପ୍ରଭାବରେ ସମୁଦ୍ରରେ ପବନର ବେଗ ଘଣ୍ଟା ପିଛା ୪୫ କିଲୋମିଟର ରହିପାରେ। ତେଣୁ ୧୭ ତାରିଖ ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୭ଟି ଜିଲାରେ ପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝ ଜିଲ୍ଲାର ଗୋଟି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼,ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୧୫ରୁ ୧୬ ତାରିଖ ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ବାଲେଶ୍ୱର , ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ,ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି , କୋରାପୁଟ ଓ ରାୟଗଡା ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏତଦ ବ୍ୟତୀତ ଅଗଷ୍ଟ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହିତ କାଳବୈଶାଖୀ ସମ୍ଭାବନା ରହଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
