ପ୍ରଥମ ଇନିଂସରେ ଇଂଲଣ୍ଡ ୩୯୧ରେ ଅଲଆଉଟ୍, ଭାରତଠୁ ୨୭ ରନର ଅଗ୍ରଣୀ ହାସଲ
ଲର୍ଡ୍ସ : ଲର୍ଡ୍ସରେ ଜାରି ରହିଥିବା ଘରୋଇ ଦଳ ଇଂଲଣ୍ଡ-ଭାରତ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଜାରି ରହିଛି । ଏଥିରେ ଭାରତ ପ୍ରଥମ ଇନିଂସରେ ୩୬୪ ରନ୍ କରି ଅଲଆଉଟ ହେବା ପରେ ଇଂଲିଶ ଟିମ୍ ବ୍ୟାଟିଂ ଆରମ୍ଭ କରିଥିଲା । ଏଥିରେ ନର୍ଟିଂହାମ ପରି ଲର୍ଡ୍ସରେ ଗର୍ଜିଲା ଜୋ ରୁଟ୍ଙ୍କ ବ୍ୟାଟ୍। ଘରୋଇ ଦଳର ଅଧିନାୟକ ସାମ୍ନାରେ ନିରୁପାୟ ଭାରତୀୟ ବୋଲର। ରୁଟ୍ଙ୍କ ୧୮୦ ରନର ଅପରାଜିତ ବ୍ୟାଟିଂ ବଳରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୩୯୧ ରନ କରିଛି। ଦଳ ଭାରତଠୁ ୨୭ ରନର ଅଗ୍ରଣୀ ହାସଲ କରିଛି। ଇଂଲଣ୍ଡ ଇନିଂସ ଅଲଆଉଟ୍ ସହ ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି। ଚତୁର୍ଥ ଦିନର ଖେଳ ଭାରତର ଦ୍ଵିତୀୟ ଇନିଂସ ବ୍ୟାଟିଂରୁ ଆରମ୍ଭ ହେବ। ଜୋ ରୁଟ୍ଙ୍କ ୧୮୦ ରନ ବ୍ୟତୀତ ଜୋନି ବେୟାରଷ୍ଟୋ ୫୭ ରନ ଓ ରରି ବର୍ଣ୍ଣ୍ସ ୪୯ ରନ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ସଫଳତା ପାଇଥିବା ବେଳେ ଇଶାନ୍ତ ଶର୍ମା ୩ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଭାରତୀୟ ଦଳ ଲୋକେଶ ରାହୁଲଙ୍କ ୧୨୭ ରନ ଓ ରୋହିତ ଶର୍ମାଙ୍କ ୮୪ ରନ ବଳରେ ପ୍ରଥମ ଇନିଂସରେ ୩୬୪ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୫ ଓ୍ଵିକେଟ୍ ନେଇଥିଲେ।
ଦ୍ଵିତୀୟ ଦିନର ଖେଳ ୧୧୯/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ଚତୁର୍ଥ ଦିନ ଆରମ୍ଭରୁ ଭାରତୀୟ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ଅଧିନାୟକ ଜୋ ରୁଟ୍ ଓ ଜୋନି ବେୟାରଷ୍ଟୋ ଇନିଂସକୁ ଆଗେଇ ନେଇଥିଲେ। ଏହି ଯୋଡିକୁ ଭାଙ୍ଗିବା ପାଇଁ ଭାରତୀୟ ବୋଲରଙ୍କୁ ନାକେଦମ ହେବାକୁ ପଡିଥିଲା। ଉଭୟ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍ରେ ୧୨୧ ରନ ଯୋଡିଥିଲେ। ବେୟାରଷ୍ଟୋ ୫୭ ରନର ଉପଯୋଗୀ ଇନିଂସ ଖେଳି ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ଅନ୍ୟପଟେ ରୁଟ୍ ନିଜର ଦମଦାର ଫର୍ମ ବଜାୟ ରଖି ସିରିଜ୍ରେ କ୍ରମାଗତ ଦ୍ଵିତୀୟ ଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୨ ତମ ଶତକ। ସେ ପଞ୍ଚମ ଓ୍ଵିକେଟ୍ରେ ଜୋସ୍ ବଟଲରଙ୍କ ସହ ୫୪ ରନ ଯୋଡିଥିଲେ। ପୁଣି ମୋଇନ ଅଲ୍ଲୀଙ୍କ ସହ ମିଶି ରୁଟ୍ ଷଷ୍ଠ ଓ୍ଵିକେଟ୍ରେ ୫୮ ରନ ଯୋଡି ଇଂଲଣ୍ଡର ସ୍ଥିତି ମଜବୁତ କରିଥିଲେ। ୩୪୧ ରନ ସ୍କୋରରେ ଇଂଲଣ୍ଡକୁ କ୍ରମାଗତ ଦୁଇଟି ଝଟକା ଦେଇଥିଲେ ଇଶାନ୍ତ ଶର୍ମା। ସେ ମୋଇନି ଅଲ୍ଲୀ(୨୭) ଓ ସାମ କୁରନଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ଗୋଟିଏ ପଟେ ରୁଟ୍ କାନ୍ଥ ଭଳି ଛିଡା ହୋଇ ଇନିଂସ ସମ୍ଭାଳିଥିଲେ। ଓଲି ରବିନସନ(୬)ଙ୍କୁ ସିରାଜ ଆଉଟ୍ କରି ନିଜର ଚତୁର୍ଥ ସଫଳତା ହାସଲ କରିଥିଲେ। ମାର୍କ ଉଡ(୫) ରବୀନ୍ଦ୍ର ଜାଡେଜା/ପନ୍ତଙ୍କ ଦ୍ଵାରା ରନଆଉଟ୍ ହୋଇଥିଲେ। ଜେମ୍ସ ଆଣ୍ଡରସନ(୦)ଙ୍କୁ କ୍ଲିନ ବୋଲ୍ଡ କରି ମହମ୍ମଦ ସାମି ଇଂଲଣ୍ଡ ଇନିଂସକୁ ୩୯୧ ରନରେ ସୀମିତ ରଖିଥିଲେ। ଅଧିନାୟକ ଜୋ ରୁଟ୍ ୧୮୦ ରନର ଇନିଂସ ଖେଳି ଇଂଲଣ୍ଡକୁ କେବଳ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରାଇ ନାହାନ୍ତି ବରଂ ଭାରତଠୁ ଦଳକୁ ୨୭ ରନର ଅଗ୍ରଣୀ କରାଇଛନ୍ତି। ରୁଟ୍ ୩୨୧ ବଲ୍ର ସମ୍ମୁଖୀନ ହୋଇ ୧୮ ଚୌକା ମାରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସିରାଜ ୯୪ ରନ ଦେଇ ସର୍ବାଧିକ ୪ ସଫଳତା ପାଇଛନ୍ତି। ଇଶାନ୍ତ ଶର୍ମା ୬୯ ରନରେ ୩ ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ୨ ଓ୍ଵିକେଟ୍ ନେଇଛନ୍ତି। ପ୍ରମୁଖ ବୋଲର ଯଶପ୍ରୀତ ବୁମରାଙ୍କୁ ଗୋଟିଏ ହେଲେ ଓ୍ଵିକେଟ୍ ନେଇ ପାରି ନାହାନ୍ତି।


