କୋଭିଡ ନିୟମ ଉଲ୍ଲଙ୍ଘନ କରି ଫସିଲେ ଉର୍ମିଲା
ମୁମ୍ବାଇ : ବଲିଉଡର ରଙ୍ଗିଲା ଗାର୍ଲ ଉର୍ମିଲା ମାତୋଣ୍ଡକରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରିଛନ୍ତି। ଏହି ଅଭିଯୋଗ ଆସିବା ପରେ ତାଙ୍କ ବରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଯେ, ଶୁକ୍ରବାର ଝାଡଖଣ୍ଡ ଗସ୍ତରେ ଯାଇଥିଲେ ଉର୍ମିଲା। ପାଲାମୁ ଅଞ୍ଚଳରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏହି ସମୟରେ ସେ କରୋନା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଡେପୁଟି କମିଶନର ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡେପୁଟି କମିଶନର ଶଶିରଂଜନ ଗଣମାଧ୍ୟମକୁ କହିଛନ୍ତି, ଉର୍ମିଲା ପାଲାମୁରେ ତାଙ୍କର ଏକ କାର୍ଯ୍ୟକ୍ରମରେ କୋଭିଡ-୧୯ ର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ଜିଲ୍ଲା ପ୍ରଶାସନ ନିକଟରେ ଏଭଳି ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନକୁ ଲୋକମାନେ ଦେଇଥିବା ଅଭିଯୋଗ ଆଧାରରେ ଏହି ତଦନ୍ତ ହେବ। ଏହି ତଦନ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ଅଭିଯୋଗ ହୋଇଛି ଯେ, ଉର୍ମିଲା ମାତୋଣ୍ଡକର ଯେଉଁ ହୋଟେଲରେ ପହଞ୍ଚିଥିଲେ, ସେଠାରେ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଅନୁଯାୟୀ ନିର୍ଦ୍ଦିଷ୍ଟ ଲୋକଙ୍କ ସଂଖ୍ୟାଠାରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ।
