ଆଫଗାନିସ୍ତାନକୁ ଭାରତ ସେନା ପଠାଇଲେ ପରିଣତି ଭୟାବହ ହେବ : ତାଲିବାନ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ନିଜର କାୟା ବିସ୍ତାର କରିଚାଲିଥିବା ତାଲିବାନ ଭାରତକୁ ଚେତାବନୀ ଦେଇଛି । ଗୋଟେପଟେ ଆଫଗାନିସ୍ତାନରେ ଭାରତର ପ୍ରଗତିମୂଳକ କାର୍ଯ୍ୟକ୍ରମକୁ ତାଲିବାନ ପ୍ରଶଂସା କରିଥିବାବେଳେ ସେନା ପଠାଇବା ଯୋଜନାକୁ ନେଇ ଭାରତକୁ ଧମକ ଦେଇଛି ତାଲିବାନ। ଆଫଗାନିସ୍ତାନକୁ ଭାରତ ସେନା ପଠାଇଲେ ପରିଣତି ଭୟାବହ ହେବ ବୋଲି ତାଲିବାନର ମୁଖପାତ୍ର ମହମ୍ମଦ ସୁହୈଲ ସାହିନ୍ ଗଣମାଧ୍ୟମରେ ଚେତାବନୀ ଦେଇଛନ୍ତି । ତାଲିବାନ ବିରୋଧରେ ଛିଡ଼ା ହୋଇଥିବା ଦେଶମାନଙ୍କର ପରିଣତି ଭାରତ ଦେଖିସାରିଛି । ତେଣୁ ସେନା ପଠାଇବା ପୂର୍ବରୁ ଭାରତ ଭଲ ଭାବେ ଚିନ୍ତା କରୁ ବୋଲି ସେ ଚେତାଇ ଦେଇଛନ୍ତି ।
ଆଫଗାନିସ୍ତାନରେ ଭାରତୀୟ ଦୂତାବାସ କିମ୍ବା କୌଣସି ଦେଶର ସରକାରୀ ଅଧିକାରୀଙ୍କର ଯେପରି କୌଣସି ପ୍ରକାର କ୍ଷତି ନହୁଏ ସେନେଇ ତାଲିବାନ ପ୍ରତିଶ୍ରୁତିବଦ୍ଧ ବୋଲି ମହମ୍ମଦ ସୁହୈଲ ଗଣମାଧ୍ୟମକୁ କହିଛନ୍ତି । ଏହାବ୍ୟତୀତ ପାକିସ୍ତାନ ତାଲିବାନକୁ ଆର୍ଥିକ ସହାୟତା ଓ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ପାକଟିଆ ରାଜ୍ୟରେ ଶିଖ୍ ମାନଙ୍କ ଗୁରୁଦ୍ୱାରାରୁ ନିଶାନ ସାହିବ ପତାକା ହଟାଇବାକୁ ମଧ୍ୟ ତାଲିବାନ ପ୍ରତ୍ୟାଖାନ କରିଛି । ତାଲିବାନର ଭୟରେ ଶିଖମାନେ ନିଜେ ଏହାକୁ ହଟାଇଥିଲେ । ହେଲେ ସଙ୍ଗଠନ ପକ୍ଷରୁ ଶିଖ ସମ୍ପ୍ରଦାୟକୁ ଆକ୍ରମଣ ନକରିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ପୁନର୍ବାର ଗୁରୁଦ୍ୱାରରେ ପତାକା ଉଡ଼ିଥିଲା ବୋଲି ମହମ୍ମଦ ସୁହୈଲ ସାହିନ୍ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ।
