ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବିଜେଡି
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବିଜେଡି । ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କୃଷିମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବୋଲି ବିଜେଡି ପକ୍ଷରୁ ଘୋଷଣା କରାଯାଇଛି । ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ୨୭% ସଂରକ୍ଷଣ ଦେବ ବିଜୁ ଜନତା ଦଳ । ତେବେ ଅନ୍ୟ ଦଳଗୁଡିକ ମଧ୍ୟ ଏପରି ଘୋଷଣା କରିବାକୁ ବିଜେଡି ଆହ୍ବାନ ଦେଇଛି । ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଦାବି କରିଛି । ସାଂପ୍ରତିକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ସଂସ୍ଥାଗୁଡିକରେ ଆଗାମୀ ନିର୍ବାଚନ ପାଇଁ ଆବଶ୍ୟକ ସଂରକ୍ଷଣ ନିମନ୍ତେ ସରକାର ବିଚାର କରୁଛନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦୁଇ ମନ୍ତ୍ରୀ।
ଏହା ସଂପ୍ରତି ବିଭିନ୍ନ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ପରିଚାୟକ ହେବା ସଙ୍ଗେ ସଙ୍ଗେ ଏକ ଚୂଡାନ୍ତ ନିର୍ଯାସ ନେବାରେ ସହାୟତା କରିବ। ତେବେ କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି। ସେହିପରି ରାଜ୍ୟର ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରୀରେ ସଂରକ୍ଷଣ ସୁବିଧା ପାଉଛନ୍ତି। ରାଜ୍ୟ ପଛୁଆ ବର୍ଗ କମିସନ ଆଇନ୍ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିପାରୁଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।


