ଏଣିକି ହସ୍ପିଟାଲ ଆସୁଥିବା ସମସ୍ତ ଶିଶୁଙ୍କ ହେବ ଆର୍ଟି-ପିସିଆର୍ ପରୀକ୍ଷା
Novel coronavirus 2019 nCoV pcr diagnostics kit. This is RT-PCR kit to detect presence of 2019-nCoV or covid19 virus in clinical specimens. In vitro diagnostic test based on real-time PCR technology
ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ଆଶଙ୍କା କରି ରାଜ୍ୟରେ ହସ୍ପିଟାଲକୁ ଆସୁଥିବା ସମସ୍ତ ଶିଶୁଙ୍କ ଆର୍ଟି-ପିସିଆର୍ ପରୀକ୍ଷା ହେବ। ଶିଶୁ ୱାର୍ଡରେ ଆଡମିସନ୍ ହେବା ପୂର୍ବରୁ ଶିଶୁମାନଙ୍କ ପରୀକ୍ଷାକୁ ସୁନିଶ୍ଚିତ କରାଯିବ। ରାଜ୍ୟସ୍ତରୀୟ ଶିଶୁ କୋଭିଡ କେୟାର ଟାସ୍କ ଫୋର୍ସ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।
ମହାମାରୀ କରୋନାର ଦ୍ଵିତୀୟ ଲହରରେ ସଂକ୍ରମଣ ସାମାନ୍ୟ କମିଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଅବଗଣନା ଜାରି ରହିଛି। ନିର୍ଦ୍ଦିଷ୍ଟ ଭାବେ କେବେ ତୃତୀୟ ଲହର ଆସିବ ତାହା ସ୍ପଷ୍ଟ ହୋଇନାହିଁ। ତଥାପି ରାଜ୍ୟ ସରକାର ଏହାର ମୁକାବିଲା କରିବା ଲାଗି ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତେଣୁ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏ ନେଇ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଟାସ୍କ ଫୋର୍ସ ଗଠନ ହେବ। ଏଥିରେ ସିଡିଏମ୍ଓଙ୍କ ସମେତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଓ ନିଶ୍ଚେତକ ବିଶେଷଜ୍ଞ ସାମିଲ ରହିବେ। କିଭଳି ସ୍ବାବ୍ ନମୁନା ସଂଗ୍ରହ କରାଯିବ ଜିଲ୍ଲାପାଳମାନେ ଏ ସଂକ୍ରାନ୍ତରେ ସପ୍ତାହରେ ଥରେ ବୈଠକ କରିବା ଲାଗି କୁହାଯାଇଛି। ଏହାସହ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ଏ ସଂକ୍ରାନ୍ତୀୟ ସମସ୍ତ ରଣନୀତି ପ୍ରସ୍ତୁତ ସହିତ ନିରୀକ୍ଷଣ କରିବା ଲାଗି କୁହାଯାଇଛି। ଯେ କୌଣସି ପ୍ରକାର ଲକ୍ଷଣ ଥାଉ ନା କାହିଁକି, ଶିଶୁଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଯାହାଫଳରେ କେଉଁ ବର୍ଗର ଶିଶୁ କରୋନାରେ ପ୍ରଭାବିତ ହେଉଛନ୍ତି, ତାହା ସ୍ପଷ୍ଟ ହୋଇପାରିବ। ହସ୍ପିଟାଲରେ କୋଭିଡ ସ୍କ୍ରିନିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି।
ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, କୋଭିଡ୍ ହସ୍ପିଟାଲଗୁଡ଼ିକରେ ଶିଶୁମାନଙ୍କ ପାଇଁ ୫୦ ପ୍ରତିଶତ ଆଇସିୟୁ, ପିଆଇସିୟୁ ଓ ଏନ୍ଆଇସିୟୁ ସଂରକ୍ଷିତ ରଖାଯାଇଛି। ଆବଶ୍ୟକ ପଡ଼ିଲେ ପିପିପି ମୋଡ୍ରେ ଶିଶୁ କୋଭିଡ କେୟାର ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏହାସହ ଚଳିତମାସ ଶେଷ ସୁଦ୍ଧା ସବୁ ଜିଲ୍ଲାରେ ଆର୍ଟି-ପିସିଆର୍ ଲ୍ୟାବ୍ ପ୍ରତିଷ୍ଠା କାର୍ଯ୍ୟ ଶେଷ ହେବ। ତେବେ ଶିଶୁଙ୍କ କ୍ଷେତ୍ରରେ କରୋନାର କ’ଣ ପ୍ରଭାବ ରହିବ ଏବଂ ଅନ୍ୟ ରାଜ୍ୟ ଓ ଦେଶରେ କ’ଣ ସ୍ଥିତି ରହିଛି; ସେ ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ ଓ ୟୁନିସେଫ ଅଧିକାରୀଙ୍କ ସହିତ ଆଲୋଚନା କରାଯାଉଥିବା କହିଛନ୍ତି। ୧୮ବର୍ଷରୁ କମ୍ ଶିଶୁଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା ପ୍ରସ୍ତୁତ ହୋଇନାହିଁ। କିଛି ଟିକା ପ୍ରସ୍ତୁତକାରୀ କମ୍ପାନି ଏବେ ନିଜର ପରୀକ୍ଷଣ ଆରମ୍ଭ କରିଛନ୍ତି। ରାଜ୍ୟରେ ୧୮ବର୍ଷରୁ କମ୍ ୧.୪ କୋଟି ଜନସଂଖ୍ୟା ରହିଛି। ନିକଟରେ ଆଇସିଏମ୍ଆର ପକ୍ଷରୁ ରାଜ୍ୟର ୩ଟି ଜିଲ୍ଲାରେ ହୋଇଥିବା ସେରୋ ସର୍ବେକ୍ଷଣରେ ୧୦-୧୭ବର୍ଷର ଶିଶୁଙ୍କଠାରେ ୫୫ ପ୍ରତିଶତ ଆଣ୍ଟିବଡି ଓ ୬-୯ବର୍ଗରେ ୫୨ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ରାଜ୍ୟର ସମୁଦାୟ ୩.୧ କୋଟି ଜନସଂଖ୍ୟାକୁ ଟିକା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତହିଁରୁ ୧.୮୬ କୋଟି ଲୋକ ଅତିକମ୍ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଥିବା ବେଳେ ୪୩ଲକ୍ଷ ଲୋକ ଉଭୟ ଡୋଜ୍ ଟିକା ନେଇ ସାରିଛନ୍ତି।
