ପରବର୍ତ୍ତୀ ଲକ୍ଷ୍ୟ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା :ନୀରଜ ଚୋପ୍ରା
ନୂଆଦିଲ୍ଲୀ : ଭାରତୀୟ ଦୌଡ଼କୁଦ ମହାସ˚ଘ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା ବେଳେ ଏକ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା। ଏହି ସମ୍ମିଳନୀରେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା କହିଛନ୍ତି ଯେ, ବିଶ୍ୱ ପ୍ରତିଯୋଗିତା ବେଳେବେଳେ ଅଲିମ୍ପିକ୍ସଠୁ କଷ୍ଟକର ହୋଇଥାଏ। ଏବେ କେବଳ ଅଲିମ୍ପିକ ସ୍ୱର୍ଣ୍ଣ ପଦକକୁ ଧରି ବସିଯିବା ଠିକ୍ ହେବନି। ବର˚ କିପରି ଆହୁରି ଅଧିକ ଭଲ ପ୍ରଦର୍ଶନ କରାଯାଇପାରିବ ଏବ˚ ଆଗକୁ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ପରବର୍ତ୍ତୀ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିହେବ ତାହା ଉପରେ କାମ କରିବାକୁ ପଡ଼ିବ। ପରବର୍ତ୍ତୀ ଲକ୍ଷ୍ୟ ହେଉଛି ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଆସନ୍ତା ବର୍ଷ ଆମେରିକାରେ ଅନୁଷ୍ଠିତ ହେବ। ବିଶ୍ୱ ପ୍ରତିଯୋଗିତା ଚଳିତ ବର୍ଷ ଆମେରିକାର ଇୟୁଜିନ୍, ଓରେଗନଠାରେ ଆୟୋଜିତ ହେବାର ଥିଲା। କିନ୍ତୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବାରୁ ଏହି ପ୍ରତିଯୋଗିତା ୨୦୨୨ରେ ହେବ। ଆସନ୍ତାବର୍ଷ ଜୁଲାଇ ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ।
କେରଳରେ ହୋଇଥିବା ଜାତୀୟ କ୍ରୀଡ଼ାରେ ସେ ପଞ୍ଚମ ସ୍ଥାନରେ ରହିଥିଲେ ସୁଦ୍ଧା ଏଏଫ୍ଆଇ ପକ୍ଷରୁ ତାଙ୍କୁ ୨୦୧୫ରେ ଜାତୀୟ ଶିବିରରେ ସାମିଲ କରାଯାଇଥିଲା। ଏହା ହିଁ ତାଙ୍କ ଖେଳ ଜୀବନରେ ନୂଆ ମୋଡ଼ ଆଣିଦେଇଥିଲା ବୋଲି ନୀରଜ କହିଛନ୍ତି। ତେବେ ଶିବିରରେ ଯୋଗଦେବା ପୂର୍ବରୁ ପାନିପତର ଶିବାଜୀ ଷ୍ଟାଡିୟମ ଓ ପରେ ପଞ୍ଚକୁଲାର ତାଉ ଦେବୀଲାଲ ଷ୍ଟାଡିୟମରେ ଅଭ୍ୟାସ କରୁଥିଲି। ଏହି ସ୍ଥାନଗୁଡ଼ିକରେ ଭଲ ପ୍ରଶିକ୍ଷଣ ମିଳୁଥିଲା। କିନ୍ତୁ ଅନ୍ୟାନ୍ୟ ସୁବିଧା ସୁଯୋଗ, ଉପକରଣ, ଖାଦ୍ୟ ଇତ୍ୟାଦି ଭଲ ନଥିଲା। କିନ୍ତୁ ଯେବେ ଏନ୍ଆଇଏସ୍ ପଟିଆଲାର ଜାତୀୟ ଶିବିରରେ ଯୋଗଦେବାକୁ ସୁଯୋଗ ମିଳିଲା ସବୁକିଛି ବଦଳି ସାରିଥିଲା। ଏଠାରେ ଦେଶର ଶ୍ରେଷ୍ଠ ଜାଭେଲିନ୍ କ୍ରୀଡ଼ାବିତ୍ଙ୍କ ସହିତ ଅଭ୍ୟାସ କରିବାକୁ ସୁଯୋଗ ମିଳିଥିଲା। ତାଙ୍କର ଆବଶ୍ୟକତା ଅନୁଯାୟୀ, ସବୁପ୍ରକାରର ସୁବିଧା ସୁଯୋଗ ମିଳିପାରିଥିବାରୁ, ସେ ଅଧିକ ପରିଶ୍ରମ କରିଥିଲେ ଏବ˚ ଶେଷରେ ସଫଳତା ମିଳିଥିଲା ବୋଲି ନୀରଜ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
