କଣ୍ଟେନର ପଛପଟେ ପଶିଗଲା କାର୍ : ୫ ମୃତ, ଜଣେ ଗୁରୁତର
ବସ୍ତି : ଉତ୍ତର ପ୍ରଦେଶ ବସ୍ତି ସ୍ଥିତ ୨୮ ନମ୍ବର ଜାତୀୟ ରାଜପଥ ପୁରୈନା ଚାରିଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ କାର୍ କଣ୍ଟେନର ପଛପଟେ ପଶି ଯାଇଛି। କାର ଲକ୍ଷ୍ନୌରୁ ବସ୍ତି ଯାଉଥିଲା। କାରରେ ୭ଜଣ ଥିଲେ, ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଜଣେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆଉ ଜଣକର ସ୍ଥିତି ଗୁରୁତର ରହିଛି। ଗୁରୁତରଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ବହୁ କଷ୍ଟରେ ଶବ ବାହାର କରିଥିଲା। କାରକୁ ଗ୍ୟାସ କଟର ସାହାଯ୍ୟରେ କଟାଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଶବ ବାହାର କରାଯାଇଥିଲା। ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି।
ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ଆହତଙ୍କ ଉପଚାର ତଥା ପ୍ରଭାବିତଙ୍କୁ ସମ୍ଭାବ୍ୟ ସାହାଯ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
