ଚଳିତ ସପ୍ତାହରେ ଯୁକ୍ତ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ୱର : ମହାମାରୀ କରୋନା ଯୋଗୁଁ ଚଳିତବର୍ଷ ଯୁକ୍ତ୨ ପରୀକ୍ଷା ହୋଇନଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ମାଟ୍ରିକ୍ ମାର୍କ ଅନୁସାରେ ରେଜଲ୍ଟ ବାହାର କରାଯିବ । ଚଳିତ ସପ୍ତାହ ତଥା ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ନିର୍ଦ୍ଧାରିତ ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଆସନ୍ତା ୧୨ କିମ୍ବା ୧୩ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ କରାଯିବ ବୋଲି ସୂଚନା ମିଳିଛି। ଗତଥର ପରି ଏଥର ଯେପରି ଅସୁବିଧା ନ ହୁଏ ସେଥିପାଇଁ ପରିଷଦ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲା ଅନୁଯାୟୀ ପରୀକ୍ଷା ଫଳ, ଶତ ପ୍ରତିଶତ ପରୀକ୍ଷା ଫଳ କରିଥିବା କଲେଜ ତାଲିକା, ଏସ୍ସି ଓ ଏସ୍ଟି ଛାତ୍ରଛାତ୍ରୀଙ୍କ ପାସ୍ହାର ମଧ୍ୟ ପ୍ରକାଶ କରାଯିବ। ମୂଲ୍ୟାୟନରେ ଯେପରି ସ୍ବଚ୍ଛତା ରହେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ସୂଚନା ଅନୁଯାୟୀ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଥିବାରୁ ତରବରିଆ ଭାବେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ସମୟ ଲାଗିବାରୁ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପରିଷଦ ପକ୍ଷରୁ ସମୟ ଯାଚିକା ଦାଖଲ ହୋଇଥିଲା। ତେବେ ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ କୋର୍ଟ ଅନୁମତି ଦେଇଥିବାରୁ ପରିଷଦ ଏଦିଗରେ ପଦକ୍ଷେପ ନେଇଛି। ଏଥର କଳା ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି। ପରୀକ୍ଷା ହୋଇ ନ ଥିବା ବେଳେ ମାଟ୍ରିକ୍ ମାର୍କ ଆଧାରରେ ସେମାନଙ୍କୁ ନମ୍ବର ଦିଆଯାଇଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରି ଏହି ଦୁଇ ବିଭାଗରେ ମଧ୍ୟ ପାସ୍ହାର ୯୫ ପ୍ରତିଶତରୁ ଅଧିକ ହୋଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଅନୁମତିକ୍ରମେ ଆମେ ପଦକ୍ଷେପ ନେଇଛୁ। ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ ଲାଗି ସମୟ ମିଳିଥିବାରୁ ଆଜି ସୁଦ୍ଧା ସମସ୍ତ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ।
