ରାଜ୍ୟରେ କରୋନା ଆକ୍ରାନ୍ତ ଆଉ ୬୪ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ଜଣ, ସୁନ୍ଦରଗଡ଼ ଜିଲାରୁ ୮ଜଣ, ବାଲେଶ୍ୱର ଜିଲାରୁ ୬ଜଣ, କନ୍ଧମାଳ ଜିଲାରୁ ୪ଜଣ ରହିଛନ୍ତି । କଟକ, ଯାଜପୁର, ମୟୁରଭଞ୍ଜ, ନୟାଗଡ଼, ପୁରୀ ଜିଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା ୨ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬ହଜାର ୫୬୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୮୮,୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୭୧,୩୯୧ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୯୮୮ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୬,୫୬୫ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
