ଆଜି ରାଜ୍ୟ କ୍ୟାବିନେଟ୍, ୧୨ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର
ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଷୋମବାର ସନ୍ଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ।
ସୋମବାର ଲୋକସେବା ଭବନରେ ଆଭାସି ସମ୍ମିଳନୀ ଜରିଆରେ ଅନୁଷ୍ଠିତ ବୈଠକରେ ଶ୍ରୀକ୍ଷେତ୍ର ପରିକ୍ରମା ଯୋଜନାକୁ ଅନୁମୋଦନ ମିଳିପାରେ। ସେହିପରି ସ୍ମାର୍ଟ ହେଲ୍ ଥ କାର୍ଡ ପ୍ରଦାନ ନିଷ୍ପତ୍ତି ଉପରେ ମଧ୍ୟ ମୋହର ଲାଗିପାରେ । ନିଯୁକ୍ତି ସର୍ତ୍ତାବଳୀ, ନଗର ଉନ୍ନୟନ ବିଭାଗର କିଛି ଏଜେଣ୍ଡା ଓ ପାନୀୟ ଜଳ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ ମିଳିବ ବୋଲି ସୂଚନା ରହିଛି । ପୂର୍ତ୍ତ ବିଭାଗର କିଛି ପ୍ରକଳ୍ପ ଉପରେ ମଧ୍ୟ ମୋହର ବାଜିବ । ସେପେଟ ଭାରତୀୟ ହକି ଦଳର ଅଲିମ୍ପିକ୍ସରେ ସଫଳତା ପରେ ରାଜ୍ୟ ସରକାର କ୍ରୀଡ଼ା ସଂପର୍କିତ ଏକ ବଡ଼ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଦୀର୍ଘ ୪ ଦଶନ୍ଧି ପରେ ଅଲିମ୍ପିକରେ ଭାରତକୁ କାଂସ୍ୟ ପଦକ ମିଳିବା ଏବଂ ହକିର ପ୍ରାୟୋଜକ ଓଡ଼ିଶାକୁ ଏଥିପାଇଁ ପ୍ରଶଂସାର ସୁଅ ଛୁଟୁଥିବାରୁ ଏହାକୁ ନେଇ ଜିଲାସ୍ତରରେ ସ୍ବତନ୍ତ୍ର ଖେଳ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ। ବିଶ୍ବସ୍ତରରେ ହକିର ଚମକ ପ୍ରଦର୍ଶିତ ହୋଇଥିବାରୁ ଓଡ଼ିଶାରେ ଏହି କ୍ରୀଡାକୁ କିଭଳି ଅଧିକ ପ୍ରୋତ୍ସାହିତ କରିହେବ ତାକୁ ନେଇ କ୍ରୀଡା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରସ୍ତାବ ଆସିବାକୁ ରହିଛି। ଏହାବାଦ୍ ବିଭିନ୍ନ ବିଭାଗର ଚାକିରି ସର୍ତ୍ତାବଳୀରେ କେତେକ ସଂଶୋଧନ ସହିତ ପୂର୍ତ୍ତ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଥିବା ଜଣାଯାଇଛି।
