ବ୍ରହ୍ମପୁର ଏମକେସିଜି କୋଭିଡ୍ ହସ୍ପିଟାଲରୁ ଚିକିତ୍ସାଧୀନ କଏଦୀ ଫେରାର
- ବାଲିଗୁଡ଼ା ସବ୍ଜେଲ୍ରେ ଅସୁସ୍ଥ ହେବାରୁ ୫ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି କୋଭିଡ୍ ହସ୍ପିଟାଲ-୧ରୁ ଚିକିତ୍ସାଧୀନ ଥିବା ବିଚାରାଧୀନ କଏଦୀ ଫେରାର । ଶନିବାର ଭୋର ୪ଟା ବେଳେ କଏଦୀ ଜଣଙ୍କ ବେଡରେ ନ ଥିବା ଦେଖିବା ପରେ ତାଙ୍କୁ ଖୋଜା ଖୋଜି କରାଯାଇଥିଲା । ଫେରାର ହୋଇଯାଇଥିବା କଏଦୀଙ୍କୁ ଖୋଜିବାକୁ ପୋଲିସ୍ ଅନୁସନ୍ଧାନ ଚଳାଇଥିଲେ ବି କିଛି ଟେର ପାଇପାରିନି। କିଛି ଦିନ ତଳେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ବାଲିଗୁଡା ସବ୍-ଜେଲରେ ଥିଲେ ନୟାଗଡ଼ ଅଞ୍ଚଳର ମିରତା ସିଂ । ଗତ ୫ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ-୧ରେ ଭର୍ତ୍ତି ହୋଇଥିଲେ ।
ଗତ ଜୁଲାଇ ୪ ତାରିଖରେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ମିରତା ବାଲିଗୁଡା ଜେଲ୍ରେ ଥିଲେ। ଏହାପରେ ୩୧ ତାରିଖରେ ପଜିଟିଭ ବାହାରିବାରୁ ତାଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି କୋଭିଡ଼ ମେଡିକାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶନିବାର ସକାଳେ ଫେରାର ହୋଇଯାଇଛନ୍ତି। ଏନେଇ ଏମକେସିଜି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି, ରୋଗୀଜଣକ ବାଲିଗୁଡ଼ାରୁ ରେଫର ହୋଇ ଆସିଥିଲେ। ଏବେ ଅବସ୍ଥା ଭଲ ହୋଇ ଆସିଥିଲା। ହେଲେ ଡିସଚାର୍ଜ ହେବା ପୂର୍ବରୁ ସେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଜଗିବା ପାଇଁ ୨ ଜଣ ପୋଲିସ୍ କର୍ମୀ ଆସିଥିବା ବେଳେ ସେମାନେ ଗେଟ୍ ବାହାରେ ରହୁଥିଲେ। ଏନେଇ ବାଲିଗୁଡ଼ା ଥାନାକୁ ଅବଗତ କରାଯାଇଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ।
