ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ପାକିସ୍ତାନ ସଂସଦରେ ନିନ୍ଦା
ଇସଲାମାବାଦ : ପାକିସ୍ତାନରେ ହୋଇଥିବା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ସମ୍ପର୍କରେ ଏକ ନିନ୍ଦା ପ୍ରସ୍ତାବ ପାକିସ୍ତାନ ସଂସଦରେ ଗୃହୀତ ହୋଇଛି । ଏହି ଘଟଣାରେ ଦୋଷୀ ଲୋକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସଂଖ୍ୟାଲଘୁଙ୍କ ଉପାସନାପୀଠଗୁଡ଼ିକର ସୁରକ୍ଷା କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି । ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିସାରିଛନ୍ତି ।
National Assembly passed a resolution to condemn attack on a #HinduTemple in village #Bhong of Rahim Yar Khan & assured stern action would be taken against culprits.Parliament of?? is committed to protect rights of #minorities & provide full protection to their places of worship. pic.twitter.com/J9Mmf3qf7F
— National Assembly of Pakistan?? (@NAofPakistan) August 6, 2021
ସୂଚନା ଯେ, ଗତ ୪ ତାରିଖରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ରହିମ-ୟାର-ଖାଁ ଜିଲ୍ଲାର ଭୋଙ୍ଗ ସହରରେ ଥିବା ସିଦ୍ଧିବିନାୟକ ମନ୍ଦିରକୁ କେତେକ ଲୋକ ଭଙ୍ଗାରୁଜା କରିବା ସହ ଜାଳି ଦେଇଥିଲେ । ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଲୋକମାନେ ଉତ୍ତେଜିତ ହୋଇ ଏହି କାଣ୍ଡ ଘଟାଇଥିବା କୁହାଯାଉଛି । ଏପରିକି ଘଟଣାସ୍ଥଳରେ ପୋଲିସ ଥିଲେ ବି ଏଥିରେ ହସ୍ତକ୍ଷେପ କରିନଥିଲା । ଏହି ଘଟଣାକୁ ନେଇ ଭାରତ ସରକାର ପାକିସ୍ତାନୀ ଦୂତାବାସ ମୁଖ୍ୟଙ୍କୁ ଡକାଇ ତୀବ୍ର ପ୍ରତିବାଦ ଜଣାଇଥିଲେ । ଏନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ, ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଧର୍ମୀୟ ସ୍ୱାଧୀନତା ଓ ସେମାନଙ୍କ ଉପାସନାପୀଠଗୁଡ଼ିକ ଉପରେ ଆକ୍ରମଣ ବଢିଚାଲିଥିବାରୁ ଏହା ଏକ ଚିନ୍ତାର ବିଷୟ ।
