ପୁରୀବାସୀଙ୍କ ପାଇଁ ନୂଆ ଏସ୍ଓପି : ଟୋକନ୍ ସହ ଆଧାର କାର୍ଡ ଦେଖାଇ କରିବେ ଜଗା ଦର୍ଶନ
ପୁରୀ : ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ଭକ୍ତ ପାଇଁ ବନ୍ଦ ଥିବା ଶ୍ରୀମନ୍ଦିର ଆସନ୍ତା ୧୬ ତାରିଖରୁ ଖୋଲିବ । ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ କେବଳ ପୁରୀ ସହରବାସୀଙ୍କ ପାଇଁ ଜାରି ହୋଇଛି ନୂଆ ଏସଓପି । ପୁରୀ ପୌରାଂଚଳର ୩୨ଟି ୱାର୍ଡରେ ବଂଟନ ହେବ ଟୋକନ୍ । ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ପୂର୍ବ ଭଳି କିଓସ୍କ ମାଧ୍ୟମରେ ଟୋକନ୍ ଓ ଆଧାର କାର୍ଡ ଦେଖାଇବେ । ଦର୍ଶନ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ । ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏହାବାଦ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବାକୁ ବାରଣ କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଆନନ୍ଦ ବଜାରରେ ବସି ପ୍ରସାଦ ସେବନ କରିବାକୁ ମଧ୍ୟ ମନା କରାଯାଇଛି ।
କିଛି ଦିନ ପୂର୍ବେ ଆୟୋଜିତ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଡବଲ ଡୋଜ ଟିକା କିମ୍ବା ଆରଟି-ପିସିଆର ନେଗେଟିଭ ଜରୁରୀ ବୋଲି କୁହାଯାଇଥିଲା । ୯୬ ଘଂଟା ପୂର୍ବରୁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଥିବା ଜରୁରୀ ବୋଲି କୁହାଯାଇଥିଲା । ହେଲେ ଏବେ ତାହାକୁ ଉଠାଇ ଦିଆଯାଇଛି । ଏଥିଯୋଗୁ ଭକ୍ତ ମହଲରେ ଆଶ୍ୱସ୍ତି ଖେଳି ଯାଇଛି । ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଖୋଲିବା ନେଇ ବସିଥିବା ଛତିଶାନିଯୋଗ ବୈଠକ ନିଷ୍ପତି ଅନୁସାରେ ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଂଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧ ଓ ୨୨ ତାରିଖ ଶଟ୍ଡାଉନ୍ ଥିବାରୁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା କରାଯାଇଛି । ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯିବ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ । ସପ୍ତାହାନ୍ତ ଶଟଡାଉନ, ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ମନା ବୋଲି ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
