ବାଲେଶ୍ୱର : ମିତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରୀକରଣ ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ନୀଳଗିରି : ଅବହେଳିତ ଅବସ୍ଥାରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର। ସାମାନ୍ୟ ଅସୁସ୍ଥ ରୋଗୀ ମଧ୍ୟ ଏଠାରେ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ଫଳରେ ଏହା ଉପରେ ନିର୍ଭର ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏହାକୁ ସରକାରୀ କରଣ କରିବା ପାଇଁ ଶୁକ୍ରବାର ସ୍ଥାନୀୟ ଲୋକେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲିଖିତ ସ୍ମାରକପତ୍ର ପଠାଇଛନ୍ତି । ଏଥିରେ ସୁଫଳ ନମିଳିଲେ ଆସନ୍ତାଦିନରେ ରାଜରାସ୍ତାକୁ ଓଲାଇବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।
ସୂଚନା ଯେ, ଗତ ୨୦୦୪ ମସିହା ଠାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଉପଲବ୍ଧି କରି କିଛି ବଦାନ୍ୟବ୍ୟକ୍ତିଙ୍କ ଅନୁଦାନରେ ‘ମିତ୍ରପୁର ସ୍ୱାସ୍ଥ୍ୟ ସେବା ସଂସ୍ଥା’ ନାମରେ ଚାଲି ଆସୁଛି । ଏହାକୁ ତତ୍କାଳୀନ ବାଲେଶ୍ଵର ଜିଲା ଚିକିତ୍ସା ଅଧିକାରୀ ଡା. ଦୁର୍ଗାଚରଣ ଦାସ ମହାପାତ୍ର ଉଦଘାଟନ କରିଥିଲେ। ଡାକ୍ତରଖାନା ନାମରେ ଏ୧.୯୦ଡି. ନିଜସ୍ୱ ଜମି ରହିଛି । ଏହି ଡାକ୍ତରଖାନା ଉପରେ ପାଖାପାଖି ୫ଟି ପଞ୍ଚାୟତର ଦୈନିକ ହାରାହାରି ୬୦ରୁ ୭୦ ଜଣ ରୋଗୀ ଚିକିତ୍ସା ପାଇଁ ନିର୍ଭର ହୋଇଥାନ୍ତି । ପୂର୍ବରୁ ବହୁବାର ଆନ୍ଦୋଳନ ପରେ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୁଇଜଣ ଆୟୁଷ ଡାକ୍ତର ଚିକିତ୍ସା ପାଇଁ ସପ୍ତାହରେ ଦୁଇ ଦିନ ପାଇଁ ଆସୁଛନ୍ତି । ଏଠାରେ ଜଣେ ଫାର୍ମାସିଷ୍ଟ, ଜଣେ ଏଏନ୍ଏମ୍, ଜଣେ ପିଅନ, ସହିତ ଡ୍ରେସର ଓ ଜଣେ ସୁଇପର ସ୍ଥାନୀୟ ଲୋକଙ୍କ ଆର୍ଥିକ ଦାନରେ ଦରମା ଦିଆଯାଉଥିବା ବେଳେ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରାଯାଇଆସୁଥିଲା । ଆର୍ଥିକ ପରିସ୍ଥିତି ଜଟିଳ ହେବାରୁ ଅର୍ଥ ପ୍ରଦାନ ବାଧା ଉପୁଜିଛି । ଉକ୍ତ ସଂସ୍ଥାକୁ ସରକାରୀକରଣ ଦାବୀରେ ବହୁବାର ଅଞ୍ଚଳବାସୀ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ନୀଳଗିରି ଉପଜିଲାପାଳ, ସ୍ଥାନୀୟ ବିଧାୟକ ଓ ଏମ୍ପି ବହୁବାର ସୁପାରିଶ କରିଥିଲେ ମଧ୍ୟ ଏଯାବତ୍ ସରକାରୀକରଣ ହୋଇପାରି ନାହିଁ । ଏନେଇ ସ୍ଥାନୀୟ ଅଞ୍ଚଳବାସୀମାନେ ଉକ୍ତ ଡାକ୍ତରଖାନାକୁ ସରକାରୀକରଣ କରିବା ଦାବୀ ନେଇ ରାଜ ରାସ୍ତାକୁ ଓଲାଇବେ ଚେତାବନୀ ଦେଇଛନ୍ତି ।
